ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ ବ୍ୟବସ୍ଥା: ପ୍ରସ୍ତୁତିର ସମୀକ୍ଷା କଲେ ଡିଜିପି

କଟକ ଅଫିସ, ୨୯।୮: ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାର ସଫଳ ରୂପାୟନ ଲାଗି ଓଡ଼ିିଶା ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ପୋଲିସ ଡିଜି ବିିଜୟ କୁମାର ଶର୍ମା ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ଭୁବନେଶ୍ୱର-କଟକ ପୋଲିସ କମିଶନର, ବିଭିନ୍ନ ରେଞ୍ଜ ଆଇଜି, ଡିଆଇଜି ଏବଂ ସମସ୍ତ ଏସ୍‌ପିଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଏଥିସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। କାର୍ଯ୍ୟକ୍ରମକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଓ ଜିଲାସ୍ତରରେ କଲ୍‌ ସେଣ୍ଟର ପ୍ରତିଷ୍ଠା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଏକ ଡାସ୍‌ବୋର୍ଡ ତିଆରି କରିଛନ୍ତି। ଏହା ଥାନାରେ ଅଭିଯୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ଟେଲିଫୋନ ନମ୍ବରର ତାଲିକା ପ୍ରସ୍ତୁତ କରିବ। ରାଜ୍ୟସ୍ତରରେ କଲ୍‌ ସେଣ୍ଟର ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ଓ ଜିଲାସ୍ତରରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିବ। ଥାନାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ଆଚରଣ କିଭଳି ବୃତ୍ତିଗତ ଓ ବନ୍ଧୁତ୍ୱପୂର୍ଣ୍ଣ ହେବ ସେ ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଛି। ଏଥିପାଇଁ ପ୍ରତ୍ୟେକ ଜିଲାରୁ ଜଣେ ବା ଦୁଇଜଣ ଅଫିସରଙ୍କୁ ପ୍ରଶିକ୍ଷିିତ କରାଯିବ। ସେମାନେ ପ୍ରଶିକ୍ଷଣ ପାଇବା ପରେ ନିଜ ଜିଲାର ସମସ୍ତ କର୍ମଚାରୀଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣ ଦେବେ। ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଚଳିତମାସ ୩୦ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ‘ମୋ ସରକାର’ କାର୍ଯ୍ୟକ୍ରମକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ସହ ସେପ୍ଟେମ୍ବର ୩୦ତାରିଖ ଭିତରେ ଯୁଦ୍ଧକାଳୀନଭିତ୍ତିରେ ପ୍ରସ୍ତୁତି କାମ ଶେଷ କରିବାକୁ ଡିଜିପି ଶର୍ମା ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଥାଉ କି, ମୁଖ୍ୟମନ୍ତ୍ରୀ ‘ମୋ ସରକାର’ ବ୍ୟବସ୍ଥା ରାଜ୍ୟରେ କାର୍ଯ୍ୟ କରାଯିବା ନେଇ ସ୍ବାଧୀନତା ଦିବସରେ ଘୋଷଣା କରିଥିବାବେଳେ ଏହା ଗାନ୍ଧୀ ଜୟନ୍ତୀଠାରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଥିଲେ। ଏହି ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ପଦସ୍ଥ ଅଧିକାରୀମାନେ ନିୟମିତ ରାଜ୍ୟର ବିଭିନ୍ନ ଥାନାକୁ ସହାୟତା ପାଇଁ ଯାଉଥିବା ଲୋକଙ୍କଠାରୁ ଫୋନ ମାଧ୍ୟମରେ ସେମାନଙ୍କ ମତାମତ ଓ ପ୍ରତିକ୍ରିୟା ନେବେ।

Share