ଗାନ୍ଧୀ ଜୟନ୍ତୀରୁ ରେଳଷ୍ଟେଶନରେ ‘ପର୍ଯ୍ୟଟନ ପର୍ବ’

ଭୁବନେଶ୍ୱର, ୨୧ା୯(ବ୍ୟୁରୋ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ରେଳପଥ ପକ୍ଷରୁ ବିଶେଷ ପଦକ୍ଷେପମାନ ନିଆଯାଉଛି। ଏବେ ‘ସ୍ବଚ୍ଛତା ପଖଓ୍ବାଡ଼ା’ ଚାଲିଛି। ଏହାପରେ ଅକ୍ଟୋବର ୨ରୁ ୧୩ତାରିଖ ପର୍ଯ୍ୟନ୍ତ ଦେଶର ସବୁ ରେଳଷ୍ଟେଶନରେ ‘ପର୍ଯ୍ୟଟନ ପର୍ବ’ ଆରମ୍ଭ ହେବ। ରେଳମନ୍ତ୍ରୀ ପୀୟୂଷ ଗୋୟଲ ସବୁ ଷ୍ଟେଶନରେ ଏହି ଉତ୍ସବ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଉତ୍ସବରେ ଷ୍ଟେଶନକୁ ଗାନ୍ଧୀଙ୍କ ସମ୍ପର୍କିତ ତଥ୍ୟାବଳୀରେ ଅଳଙ୍କୃତ କରିବାକୁ କୁହାଯାଇଛି। ଛାତ୍ରୀଛାତ୍ରଙ୍କୁ ୩୪ଟି ରେଳ ମ୍ୟୁଜିୟମ, ପାର୍କ, ଫଟୋ ଗ୍ୟାଲେରି ବୁଲାଇବାକୁ ପରାମର୍ଶ ଦିଆଯାଇଛି। ପର୍ଯ୍ୟଟକଙ୍କ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହେବ। ସ୍ବଚ୍ଛତା ଅଭିଯାନ, ରଚନା, ଚିତ୍ରାଙ୍କନ, ବକ୍ତୃତା, ଆଲୋଚନା ଆଦି ରେଳ ସ୍କୁଲ ଓ କାର୍ଯ୍ୟାଳୟ ପରିସରରେ କରାଯିବାର ଯୋଜନା କରାଯାଇଛି। ଏହି ଅବସରରେ ରେଲଓ୍ବେର ଫ୍ରଣ୍ଟଲାଇନ ଷ୍ଟାଫ ଓ ଆଇଆଇଟିଏମ ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଶିକ୍ଷଣ କର୍ମଶାଳା କରାଯିବ। ଏସବୁ ସହ ଷ୍ଟେଶନଗୁଡିକରେ ଥିବା ଡିସପ୍ଲେରେ ଗାନ୍ଧୀ କଥା ଓ ଭଜନ ପ୍ରସାରଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Share