Categories: ଜାତୀୟ

ଗାନ୍ଧୀ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ଭାରତ ବାହ୍ୟ ମଳମୁକ୍ତ

ଅହମଦାବାଦ,୩ା୧୦(ପି.ଟି.): ଭାରତ ଏବେ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଘୋଷଣା କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଗୁଜରାଟର ଅହମଦାବାଦଠାରେ ‘ସ୍ବଚ୍ଛ ଭାରତ ଦିବସ’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ୫ ବର୍ଷ ମଧ୍ୟରେ ୬୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ପାଇଖାନା ଯୋଗାଇଦିଆଯାଇଛି। ଭାରତର ଏହି ପଦକ୍ଷେପକୁ ସାରା ବିଶ୍ୱ ପ୍ରଶଂସା କରୁଛି। ୨୦୧୪ ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ସ୍ବଚ୍ଛ ଭାରତ ଅଭିଯାନର ଶୁଭାରମ୍ଭ କରିଥିଲେ। ୨୦୧୯ ଅକ୍ଟୋବର ୨ରେ ଭାରତ ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ହୋଇପାରିଛି। ଗାନ୍ଧିଜୀ ସ୍ବଚ୍ଛତା ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିଲେ। ଦେଶବାସୀ ତାହାକୁ ଆଗେଇନେବାକୁ ସେ ଚାହୁଁଥିଲେ। ଗ୍ରାମୀଣ ଭାରତ ଓ ଏହାର ଗ୍ରାମଗୁଡିକ ନିଜକୁ ବାହ୍ୟମଳମୁକ୍ତ ଘୋଷଣା କରିସାରିଛନ୍ତି। ୬୦ ମାସରେ ୧୧ କୋଟିରୁ ଅଧିକ ପାଇଖାନା ନିର୍ମାଣ ହୋଇଛି, ଯାହାକୁ ନେଇ ବିଶ୍ୱ ବିସ୍ମିତ ବୋଲି ମୋଦି କହିଛନ୍ତି। ପ୍ଲାଷ୍ଟିକ୍‌ ଏବେ ମାନବଜାତି ପାଇଁ ବଡ଼ ବିପଦ ଭାବେ ଉଭାହୋଇଛି। ୨୦୨୨ ସୁଦ୍ଧା ଦେଶକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଲକ୍ଷ୍ୟ ପୂରଣ କରିବାକୁ ହେବ।
ସ୍ବାର୍ଥ ପାଇଁ ଯଦି ପ୍ରତ୍ୟେକ ଭାରତୀୟ ଗୋଟିଏ ସଂକଳ୍ପ କରନ୍ତି ତେବେ ଗାନ୍ଧିଜୀଙ୍କର ଆତ୍ମନିର୍ଭରଶୀଳ ଭାରତ ସ୍ବପ୍ନ ସତ୍ୟରେ ପରିଣତ ହୋଇପାରିବ ବୋଲି ସାବରମତୀଠାରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ପାଇଁ ସମସ୍ତେ ସଂକଳ୍ପ ନେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Share