Categories: ଜାତୀୟ

ଗାନ୍ଧୀ ଜୟନ୍ତୀରେ ଭାଜପାକୁ ଟାର୍ଗେଟ କଲେ ସୋନିଆ: ଗାନ୍ଧୀଙ୍କ ନାମ ନେବା ସହଜ,ତାଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବା କଷ୍ଟକର

ନୂଆଦିଲ୍ଲୀ୨।୧୦: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବୁଧବାର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସମଗ୍ର ଭାରତରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧୀ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପଦଯାତ୍ରା ପରେ ଆୟୋଜିତ ଏକ ସଭାରେ ସୋନିଆ ଗାନ୍ଧୀ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କିଛି ଲୋକ ଆଜି ଆର୍‌ଏସ୍‌ଏସ୍‌କୁ ଦେଶର ପ୍ରତୀକ ଭାବେ କରିବାକୁ ଚାହୁଁଛନ୍ତି। କିନ୍ତୁ ଏହା ସମ୍ଭବପର ନୁହେଁ। କାରଣ ଆମ ଦେଶର ମୂଳଦୁଆ ହେଉଛି ଗାନ୍ଧୀଙ୍କ ବିଚାର। ଆଜି ଭାରତ ଯେଉଁଠି ଅଛି ତାହା କେବଳ ଗାନ୍ଧୀଙ୍କ ଦେଖାଇଥିବା ରାସ୍ତା ଯୋଗୁ ହୋଇପାରିଛି। ଗତ କିଛି ବର୍ଷରୁ ଭାରତର ଯେଉଁ ସ୍ଥିତି ରହିଛି ତାକୁ ଦେଖି ଗାନ୍ଧୀଙ୍କ ଆତ୍ମାକୁ ଦୁଃଖ ପହଞ୍ଚୁଥିବ। କାରଣ ଆଜି ଦେଶରେ କୃଷକ ଅବହେଳିତ ଥିବା ବେଳେ ନୀରମାନେ ସୁରକ୍ଷିତ ନାହାନ୍ତି ଏବଂ ବହୁ ଶିଳ୍ପସଂସ୍ଥା ବନ୍ଦ ହେବାରେ ଲାଗିଛି। ଯେଉଁମାନେ ମିଥ୍ୟା ରାଜନୀତି କରୁଛନ୍ତି, ସେମାନେ ଗାନ୍ଧୀଙ୍କ ଅଂହିସାକୁ ନୀତିକୁ କେବେ ବୁଝିପାରିବେ ନାହିଁ। ଗାନ୍ଧୀଙ୍କ ନାମ ନେବା ଯେତିକି ସହଜ ତାଙ୍କ ଦେଖାଇଥିବା ରାସ୍ତାରେ ଚାଲିବା ବହୁ କଷ୍ଟକର ବୋଲି ସୋନିଆ କହିଛନ୍ତି।

Share