Categories: ଜାତୀୟ

ଗାନ୍ଧୀ ଜୟନ୍ତୀରେ ମୁକୁଳିବେ ୬୦୦ ବନ୍ଦୀ

ନୂଆଦିଲ୍ଲୀ,୩୦ା୯(ପି.ଟି.): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଅକ୍ଟୋବର ୨ରେ ବିଭିନ୍ନ ଜେଲରେ ଥିବା ପାଖାପାଖି ୬୦୦ ବନ୍ଦୀଙ୍କୁ ମୁକ୍ତକରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ସହଯୋଗରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବନ୍ଦୀମାନଙ୍କ ତାଲିକା ପ୍ରସ୍ତୁତ କରୁଛି। ତେବେ ହତ୍ୟା, ବଳାତ୍କାର କିମ୍ବା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ବନ୍ଦୀଙ୍କୁ ଛଡ଼ାଯିବ ନାହିଁ। ଗାନ୍ଧିଜୀଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ବତନ୍ତ୍ର କ୍ଷମା ଯୋଜନାରେ ପୂର୍ବରୁ ୨୦୧୮ ଅକ୍ଟୋବର ୨ ଓ ୨୦୧୯ ଏପ୍ରିଲ ୬ରେ ମଧ୍ୟ କେତେଜଣ ବନ୍ଦୀଙ୍କୁ ମୁକ୍ତ କରାଯାଇଥିଲା। ୫୫ ବର୍ଷରୁ ଊର୍ଦ୍ଧ୍ୱ ମହିଳା ଓ ୬୦ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ବନ୍ଦୀ, ଯେଉଁମାନେ ସେମାନଙ୍କ ଦଣ୍ଡାଦେଶର ଅଧା ସମୟ ଜେଲ୍‌ରେ କାଟିସାରିଥିବେ ସେମାନଙ୍କୁ ମୁକ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ୫୫ ବର୍ଷରୁ ଊର୍ଦ୍ଧ୍ୱ କିନ୍ନର ଏବଂ ୭୦ ପ୍ରତିଶତ ଭିନ୍ନକ୍ଷମ ଥିବା ବନ୍ଦୀଙ୍କୁ ମଧ୍ୟ ଏହି ଯୋଜନାର ଫାଇଦା ମିଳିବ।

Share