ଗାନ୍ଧୀ ପାର୍କରେ ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ, ଆକର୍ଷଣୀୟ ଫୁଲର ସମ୍ଭାର

ପୁରୀ ଅଫିସ, ୧୯ା୧: ଭଳିକି ଭଳି ଫୁଲର ସମ୍ଭାରରେ ବେଶ୍‌ ଆକର୍ଷଣୀୟ ଲାଗୁଛି ଗାନ୍ଧୀ ପାର୍କ। ପାର୍କକୁ ଯେଉଁମାନେ ବୁଲି ଆସିଥିଲେ ସେମାନେ ରଙ୍ଗ ବେରଙ୍ଗର ଫୁଲ ଦେଖି ଅଟକି ଯାଉଥିଲେ। କେହି କେହି ଫୁଲଗୁଡ଼ିକୁ ନିରିଖେଇ ତା’ର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିଲେ ତ ଆଉ କେହି ମୋବାଇଲରେ ଫୁଲ ସହିତ ନେଉଥିଲେ ସେଲ୍‌ଫି। ଛୋଟ ପିଲାମାନେ ଫୁଲ କୁଣ୍ଡ ଚାରିପାଖରେ ଦୌଡ଼ିି ଦୌଡ଼ିି ଖୁସି ମନାଉଥିଲେ। ଶନିବାର ଅପରାହ୍ନରେ ଗାନ୍ଧୀ ପାର୍କରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ନେଚର ଲଭର୍ସ କ୍ଲବ ପକ୍ଷରୁ ଗାନ୍ଧୀ ପାର୍କରେ ଆରମ୍ଭ ହୋଇଛି ଦୁଇଦିନିଆ ପୁଷ୍ପ ପ୍ରଦର୍ଶନୀ। ଏହାକୁ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଉଦ୍‌ଘାଟନ କରିବା ସହ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏମିତି ପ୍ରଦର୍ଶନୀ ଫୁଲକୁ ଭଲ ପାଉଥିବା ଲୋକଙ୍କୁ ଅଧିକ ପ୍ରେରଣା ଦେବ। ତେଣୁ ବିଭିନ୍ନ ସ୍ଥାନରେ ଆୟୋଜନ ହେବା ଦରକାର ବୋଲି ଅତିରିକ୍ତ ଜିଲାପାଳ ସାହୁ କହିଥିଲେ।

ଏହି ପ୍ରଦର୍ଶନୀରେ ଗୋଲାପ, ସୂର୍ଯ୍ୟମୁଖୀ, ଡାଲିଆ, ଜିନିଆ, ଗେଣ୍ଡୁ, ଜରବେରା, ସାଲ୍‌ଭିଆ, ସେଲୋସିଆ, ଅର୍ର୍କିଡ ଆଦି ବିଭିନ୍ନ ଫୁଲ ରହିଛି। ଏଥିରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଠାଏ ଠାଏ ଫୁଲଗଛକୁ ସଜାଇ ରଖିଛନ୍ତି। ସତେ ଯେମିତି ଫୁଲ ବଗିଚା ଭଳି ଲାଗୁଛି। ବାସ୍ନାରେ ମହକି ଉଠୁଛି ପରିବେଶ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ କିଛିକ୍ଷଣ ଫୁଲର ପ୍ରେମରେ ମଜିଯାଉଛନ୍ତି। କଂକ୍ରିଟ ଯୁଗରେ ଫୁଲବଗିଚା ଆଉ ଏତେଟା ଦେଖିବାକୁ ମିଳୁ ନ ଥିବାବେଳେ ଏଭଳି ମନୋରମ ଦୃଶ୍ୟ ସମସ୍ତଙ୍କୁ ଦେଉଛି ଭିନ୍ନ ଅନୁଭୂତି। ରବିବାର ଏହା ଉଦ୍‌ଯାପିତ ହେବ। ଚାମ୍ପିୟନ, ରନର୍ସଅପ୍‌ ଏବଂ ଗୋଲାପ ଫୁଲ ବିଭାଗରେ କୁଇନ୍‌ ଫ୍ଲାୱାର ଚୟନ କରାଯାଇ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି।

Share