ତାମିଲନାଡ଼ୁର ମଦୁରାଇଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ୧୯୫୯ ମସିହାରେ ଗଢ଼ି ଉଠିଥିଲା, ଯାହାର ନାଁ ହେଉଛି ଗାନ୍ଧୀ ମେମୋରିଆଲ୍ ମ୍ୟୁଜିୟମ୍। କେହି କେହି ଏହାକୁ ଗାନ୍ଧୀ ମ୍ୟୁଜିୟମ୍ ବି କହିଥାନ୍ତି। ତେବେ ଦେଶରେ ଦେଖିବାକୁ ମିଳୁଥିବା ପ୍ରମୁଖ ୫ଟି ଗାନ୍ଧୀ ମ୍ୟୁଜିୟମ୍ ବା ଗାନ୍ଧୀ ସଂଗ୍ରହାଳୟ ମଧ୍ୟରୁ ଏହା ହେଉଛି ଅନ୍ୟତମ। ଏଠାରେ ଗାନ୍ଧିଜୀଙ୍କ ଜୀବନୀ ତଥା ସ୍ମୃତି ସହ ଜଡିତ ଥିବା ଅନେକ ବିରଳ ଜିନିଷ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ ରକ୍ତରେ ଜୁଡୁବୁଡୁ ହୋଇଥିବା ଏକ ଧୋତି ହେଉଛି ଅନ୍ୟତମ, ଯାହାକୁ ଗାନ୍ଧିଜୀ ସେତେବେଳେ ପିନ୍ଧିଥିଲେ ଯେତେବେଳେ ତାଙ୍କ ଉପରକୁ ଗୁଳି ଚଳାଇ ତାଙ୍କୁ ମାରି ଦିଆଯାଇଥିଲା।
ଇତିହାସ
୧୯୪୮ ମସିହାରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଥିଲା। ପରିସ୍ଥିତି ଟିକେ ଶାନ୍ତ ହେବା ପରେ ଗାନ୍ଧିଜୀଙ୍କ ସ୍ମୃତିରେ ଏକ ସଂଗ୍ରହାଳୟ ଗଢ଼ିବା ପାଇଁ ବିଭିନ୍ନ ମହଲରେ ଏପରିକି ସାଧାରଣ ଲୋକେ ବି ମତବ୍ୟକ୍ତ କରିଥିଲେ। ପରେ ସମସ୍ତଙ୍କ ମିଳିତ ସହଯୋଗରେ ମହାତ୍ମା ଗାନ୍ଧୀ ନ୍ୟାଶନାଲ୍ ମେମୋରିଆଲ୍ ଟ୍ରଷ୍ଟ ନାମରେ ଏକ ଟ୍ରଷ୍ଟ ଗଢି ଉଠିଥିଲା। ଆଉ ସେହି ଟ୍ରଷ୍ଟ ଦ୍ୱାରା ହିଁ ମଦୁଠାଇଠାରେ ଏହି ମ୍ୟୁଜିୟମ୍ଟିର ଶୁଭାରମ୍ଭ ହୋଇଥିଲା, ଯାହାକୁ ୧୯୫୯ ଏପ୍ରିଲ୍ ୧୫ ତାରିଖରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ ଉଦ୍ଘାଟନ କରିଥିଲେ। ତେବେ ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ ଯେ, ମଦୁରାଇର ଏହି ଗାନ୍ଧୀ ମ୍ୟୁଜିୟମ୍ଟି ଏବେ ଯେଉଁ ସ୍ଥାନରେ ରହିଛି ବା ଯେଉଁ ମହଲରେ ତାହା ଶୋଭା ପାଉଛି, ପୂର୍ବେ ତାହା ମଦୁରାଇ ନାୟକ ରାଜବଂଶର ରାଣୀ ମଙ୍ଗମ୍ମଲଙ୍କର ପ୍ରାସାଦ ଭାବେ ଜଣାଯାଉଥିଲା। ହେଲେ ଗାନ୍ଧିଜୀଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ନ୍ୟାଶନାଲ୍ ମେମୋରିଆଲ୍ ଟ୍ରଷ୍ଟର ଉଦ୍ୟମରେ ରାଣୀ ମଙ୍ଗମ୍ମଲଙ୍କର ସେହି ପ୍ରାସାଦଟିକୁ ମ୍ୟୁଜିୟମ୍ରେ ପରିବର୍ତ୍ତିତ କରାଯାଇଥିଲ। ଏଠାକାର ଶାନ୍ତ ତଥା ନିର୍ମଳ ପରିବେଶକୁ ଦେଖି ପରେ ୟୁନାଇଟେଡ୍ ନେଶନ୍ସ ଅର୍ଗାନାଇଜେଶନ୍ ତରଫରୁ ଉକ୍ତ ମ୍ୟୁଜିୟମ୍କୁ ବିଶ୍ୱସ୍ତରରେ ଏକ ଶାନ୍ତିପୂର୍ଣ୍ଣ ମ୍ୟୁଜିୟମ୍ର ପରିଚିତ ମିଳିଥିଲା।
କ’ଣ ଦେଖିବେ
ଏହି ମ୍ୟୁଜିୟମ୍ରେ ଇତିହାସ ତଥା ଗାନ୍ଧିଜୀଙ୍କ ଜୀବନୀ ସହ ସମ୍ପର୍କ ଥିବା ଅନେକ ସ୍ମୃତିପୂର୍ଣ୍ଣ ଜିନିଷକୁ ସାଇତି ରଖାଯାଇଛି। ତା’ଛଡ଼ା ମ୍ୟୁଜିୟମ୍ ଭିତରେ ତିନୋଟି ସ୍ବତନ୍ତ୍ର ବିଭାଗ ମଧ୍ୟ ରହିଛି ଯଥା: ‘ଇଣ୍ଡିଆ ଫାଇଟ୍ସ ଫର୍ ଫ୍ରିଡମ୍’, ‘ଭିଜୁଆଲ୍ ବାୟୋଗ୍ରାଫି ଅଫ୍ ଗାନ୍ଧିଜୀ’ ଏବଂ ‘ରେଲିକ୍ସ ଆଣ୍ଡ ରେପ୍ଲିକାସ୍’। ‘ଇଣ୍ଡିଆ ଫାଇଟ୍ସ ଫର୍ ଫ୍ରିଡମ୍’ ବିଭାଗରେ ଏକ ସ୍ପେଶାଲ୍ ଫଟୋ ଏକ୍ଜିବିଶନ୍କୁ ସ୍ଥାନ ଦିଆଯାଇଛି, ଯେଉଁଥିରେ ସ୍ବତନ୍ତ୍ରତା ଆନ୍ଦୋଳନ ସମ୍ବନ୍ଧୀୟ ପ୍ରାୟ ୨୬୫ଟି ଫଟୋ ଥିବା ଦେଖିବାକୁ ମିଳିଥାଏ। ସେହିପରି ‘ଭିଜୁଆଲ୍ ବାୟୋଗ୍ରାଫି ଅଫ୍ ଗାନ୍ଧିଜୀ’ ବିଭାଗରେ ଗାନ୍ଧିଜୀଙ୍କର ପିଲାବେଳଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସମୟର ଫଟୋ, ପେଣ୍ଟିଙ୍ଗ୍ସ ଆଦିକୁ ସ୍ଥାନ ଦିଆଯାଇଛି। ତା’ଛଡ଼ା ଏହି ବିଭାଗରେ ଗାନ୍ଧିଜୀଙ୍କର ବିଭିନ୍ନ ମୂର୍ତ୍ତି ସହିତ ତାଙ୍କର ହାତଲେଖା ଚିଠିକୁ ବି ସାଇତି ରଖାଯାଇଛି। ଅନ୍ୟପକ୍ଷେ ‘ରେଲିକ୍ସ ଆଣ୍ଡ ରେପ୍ଲିକାସ୍’ ବିଭାଗରେ ଗାନ୍ଧିଜୀ ବ୍ୟବହାର କରୁଥିବା କେତେକ ଜିନିଷକୁ ଦେଖିବାକୁ ମିଳିଥାଏ। ଖାସ୍ କରି ଏହି ବିଭାଗରେ ଗାନ୍ଧିଜୀଙ୍କ ମୃତ୍ୟୁ ସମୟର ସେହି ରକ୍ତଭିଜା ଧୋତିକୁ ଏକ ଭ୍ୟାକୁମ୍ ଗ୍ଲାସ୍ ବକ୍ସ ଭିତରେ ସାଇତିି ରଖାଯାଇଛି। କିନ୍ତୁ କେହି କେହି ବି ଏହି ଧୋତିକୁ ସତ ନୁହେଁ ବରଂ ଏକ ନମୁନା ବୋଲି ମଧ୍ୟ କହୁଥିବା ଶୁଣିବାକୁ ମିଳୁଛି। ତେବେ ସେ ଯାହା ବି ହେଉ ଏହି ମ୍ୟୁଜିୟମ୍ରେ ଥିବା ଜିନିଷ ସବୁକୁ ଦେଖିଲେ ଇତିହାସର ସ୍ମୃତି ସବୁ ପୁଣିଥରେ ଉଜ୍ଜୀବିତ ହୋଇଗଲା ପରି ନିଶ୍ଚୟ ମନେହେବ। ସେହିପରି ଏହି ମ୍ୟୁଜିୟମ୍ରେ ଏକ ଲାଇବ୍ରେରି ମଧ୍ୟ ରହିଛି, ଯେଉଁଠାରେ ଗାନ୍ଧିଜୀ ନିଜେ ଲେଖିଥିବା ତଥା ଗାନ୍ଧିଜୀ ଓ ଭାରତୀୟ ସଂସ୍କୃତି ଉପରେ ଆଧାରିତ ଥିବା ପୁସ୍ତକ ସବୁକୁ ସ୍ଥାନ ଦିଆଯାଇଛି।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ଏଠାକୁ ଯାଇହେବ। କିନ୍ତୁ ସପ୍ତାହର ପ୍ରତି ଶୁକ୍ରବାର ଏହା ବନ୍ଦ ରହୁଥିବା ଶୁଣିବାକୁ ମିଳିଥାଏ। ତା’ଛଡ଼ା ଉକ୍ତ ମ୍ୟୁଜିୟମ୍ଟି ସକାଳ ୧୦ଟାରୁ ଦିନ ୧ଟା ଯାଏଁ ଏବଂ ପୁନର୍ବାର ଦିନ ୨ଟାରୁ ଅପରାହ୍ନ ୫.୪୫ ଯାଏଁ ଖୋଲା ରହିଥାଏ। ସେହିପରି ଏଠାକୁ ଯିବା ପାଇଁ ଟ୍ୟାକ୍ସି, ବସ୍ ତଥା ଅଟୋରିକ୍ସାର ମଧ୍ୟ ସୁବିଧା ରହିଛି। ମଦୁରାଇ ଇଣ୍ଟର ନ୍ୟାଶନାଲ୍ ଏୟାର୍ପୋର୍ଟଠାରୁ ଏହା ପ୍ରାୟ ୧୨ କି.ମି. ଏବଂ ମଦୁରାଇ ଜଙ୍କଶନ୍ ରେଲଓ୍ବେ ଷ୍ଟେଶନଠାରୁ ଏହା ପ୍ରାୟ ସାଢେ ୪ କି.ମି ଦୂରରେ ଅବସ୍ଥିତ। ତା’ଛଡ଼ା ଶୁଣିବାକୁ ମିଳେ ଏଠାକୁ ଯିବା ପାଇଁ ଏଣ୍ଟ୍ରି ଟିକେଟ୍ ପଡ଼େନାହିଁ, କିନ୍ତୁ କ୍ୟାମେରା ପ୍ରବେଶ ପାଇଁ କିଛିଟା ପଇସା ଦେବାକୁ ପଡ଼ିଥାଏ।