Categories: ଜାତୀୟ

ଗାନ୍ଧୀ ଲିଗାସିକୁ ନେଇ ଭାଜପା-ବିରୋଧୀ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୩ା୧୦(ପି.ଟି.): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସାରା ଦେଶ ସମେତ ବିଦେଶରେ ପାଳନ କରାଯାଉଥିବାବେଳେ ତାଙ୍କ ଲିଗାସୀକୁ ନେଇ ଭାଜପା ଓ ବିରୋଧୀ ଦଳ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଗାନ୍ଧିଜୀଙ୍କ ବିଚାରଧାରାର ପ୍ରଚାର ପାଇଁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ବର୍ତ୍ତମାନର ବ୍ୟବସ୍ଥାରେ ଭାରତରେ ଯାହା ଘଟୁଛି, ତାହା ମହାତ୍ମାଙ୍କ ଆତ୍ମାକୁ ବ୍ୟଥିତ କରୁଥିବ ବୋଲି ସୋନିଆ କହିଛନ୍ତି।
ଗାନ୍ଧିଜୀଙ୍କ ନୀତି ଆଦର୍ଶର ପ୍ରଚାର ପ୍ରସାର ପାଇଁ ଭାଜପା ପକ୍ଷରୁ ୪ ମାସ ବ୍ୟାପୀ ‘ଗାନ୍ଧୀ ସଂକଳ୍ପ ଯାତ୍ରା’ ଆରମ୍ଭ ହୋଇଛି। ବୁଧବାର ନୂଆଦିଲ୍ଲୀରେ ଏହି ଯାତ୍ରା ଅବସରରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି, ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ, ଯିଏ ସ୍ବଚ୍ଛତାକୁ ଗଣଆନ୍ଦୋଳନରେ ପରିଣତ କରିଛନ୍ତି। ଗୋଟିଏ ଥର ବ୍ୟବହୃତ ପ୍ଲାଷ୍ଟିକ୍‌ ବର୍ଜନ କରିବା ଲାଗି ସେ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଭାଜପାର ଏଭଳି ଅଭିଯାନକୁ କଂଗ୍ରେସ ସମାଲୋଚନା କରିଛି। ଯେଉଁମାନେ ମିଥ୍ୟାଚାରରେ ଜଡ଼ିତ ସେମାନେ ବାପୁଙ୍କ ନୀତି ଆଦର୍ଶକୁ ବୁଝିପାରିବେ ନାହିଁ ବୋଲି ରାଜଘାଟଠାରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ସୋନିଆ କହିଛନ୍ତି। କଂଗ୍ରେସ ଏକମାତ୍ର ଦଳ ଯିଏ ଗାନ୍ଧିଜୀଙ୍କ ପଥ ଅନୁସରଣ କରିଆସିଛି ବୋଲି କଂଗ୍ରେସ ନେତ୍ରୀ କହିଥିଲେ। ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରୁ ରାଜଘାଟ ପର୍ଯ୍ୟନ୍ତ ଦଳୀୟ କର୍ମୀମାନଙ୍କ ଶୋଭାଯାତ୍ରାର ନେତୃତ୍ୱ ରାହୁଲ ଗାନ୍ଧୀ ନେଇଥିବାବେଳେ ଲକ୍ଷ୍ନୌର ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେଇଥିଲେ।
ଦିଲ୍ଲୀରେ ଶାହଙ୍କ ସହ ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଗାନ୍ଧିଜୀଙ୍କ ବିଚାରଧାରା ପ୍ରଚାର ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ୧୫ ଦିନ ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜନ କରିବାକୁ ଭାଜପା ଏହାର ୩୨୨୯ ଜଣ ଏମ୍‌ପି, ବିଧାୟକ, ଅନ୍ୟ ନିର୍ବାଚିତ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତାମାନଙ୍କୁ କହିଛି।

Share