Categories: ଖେଳ

ଗାବା ଟେଷ୍ଟ ପାକିସ୍ତାନ ୨୪୦ରେ ଅଲ୍‌ଆଉଟ୍‌

ବ୍ରିସବେନ୍‌, ୨୧।୧୧ (ଏଏଫ୍‌ପି)- ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନର ସମ୍ମାନ ଅଷ୍ଟ୍ରେଲିଆ ହାତେଇ ନେଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ପାକିସ୍ତାନ ମିଚେଲ ଷ୍ଟାର୍କଙ୍କ ବୋଲିଂକୁ ସାମ୍ନା କରି ନ ପାରି ପ୍ରଥମ ଇନିଂସରେ ୨୪୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି।
ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପାକିସ୍ତାନ ଅଧିନାୟକ ଆଝାର ଅଲି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଉଇକେଟ୍‌ରେ ଶାନ୍‌ ମାସୁଦ (୨୭ ରନ) ଓ ଆଝାର (୩୯) ୭୫ ରନ ଭାଗୀଦାରି କରିଥିଲେ। ତେବେ ୩ଟି ବଲ୍‌ ଅନ୍ତରରେ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ୍‌ ହେବା ପରେ ପାକିସ୍ତାନ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା। ଏହାପରେ ଅଭିଜ୍ଞ ବାବର ଆଜମ (୧), ହାରିସ ସୋହେଲ (୧) ଓ ଇଫ୍‌ତିକାର ଅହମ୍ମଦ (୭) ମଧ୍ୟ ଶସ୍ତାରେ ଆଉଟ୍‌ ହୋଇଥିଲେ। ଏକଦା ୭୫ ରନରେ କୌଣସି ଉଇକେଟ୍‌ ହରାଇ ନ ଥିବା ପାକିସ୍ତାନ ୭୮ ରନରେ ୪ ଓ ୯୪ରେ ୫ ଜଣ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଥିଲେ। ତେବେ ମଧ୍ୟକ୍ରମରେ ଆସଦ୍‌ ସଫିକ (୭୬ ରନ) ଏବଂ ଅନ୍ତିମ ଭାଗରେ ଉଇକେଟ୍‌କିପର ମହମ୍ମଦ ରିଜଓ୍ବାନ (୩୭) ଓ ୟାସିର ଶାହ (୨୬)ଙ୍କ ଉପଯୋଗୀ ବ୍ୟାଟିଂ ଯୋଗୁ ପାକିସ୍ତାନ ୨୦୦ ରନ ଅତିକ୍ରମ କରିପାରିଥିଲା। ୮୬.୨ ଓଭରରେ ଦଳ ୨୪୦ ରନରେ ସୀମିତ ରହିଥିଲା। ଘରୋଇ ଦଳ ପକ୍ଷରୁ ୩ ଦ୍ରୁତ ବୋଲର ଷ୍ଟାର୍କ (୪/୫୨), ଜୋଶ ହାଜେଲଉଡ୍‌ (୨/୪୬) ଓ ପ୍ୟାଟ୍‌ କୁମିନ୍ସ (୩/୬୦) ମିଳିତଭାବେ ୯ ଉଇକେଟ୍‌ ଅକ୍ତିଆର କରିଥିଲେ। ସ୍ପିନର ନାଥନ ଲିୟନଙ୍କୁ ଗୋଟିଏ ସଫଳତା ମିଳିଥିଲା। ଶୁକ୍ରବାର ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସ ଆରମ୍ଭ କରିବ।

Share