ଗାଳିରୁ ବର୍ତ୍ତିବା ପାଇଁ ଘର ଲୋକଙ୍କୁ ଗଣବଳାତ୍କାର ବାହାନା ଦେଖାଇଲେ ନାବାଳିକା, ଆଉ ତାପରେ…

ହାଇଦ୍ରାବାଦ,୨୬।୧: ଦେଶରେ ପ୍ରତିଦିନ ବଳାତ୍କାର ଘଟଣା ସାମ୍ନାକୁ ଆସୁଛି। ପୋଲିସ ବି ଏହାକୁ ନେଇ ସତର୍କ ହୋଇପଡିଛି। ହାଇଦ୍ରାବାଦରେ ଗଣବଳାତ୍କାର ମନରୁ ନ ଲିଭୁଣୁ ଏବେ ସେଠାରୁ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ଜଣେ ୧୬ବର୍ଷୀୟା ନାବାଳିକା ନିଜ ପରିବାର ଲୋକଙ୍କଠାରୁ ଗାଳିରୁ ବର୍ତ୍ତିବା ପାଇଁ ତାଙ୍କ ସହ ଗଣବଳାତ୍କାର ହୋଇଥିବା ମିଛ ଅଭିଯୋଗ କରିଥିଲେ। ଏହି ଘଟଣାର ଖୋଳତାଡ ପାଇଁ ପୋଲିସକୁ ନାକେଦମ ହେବାକୁ ପଡିଛି।
ସୂଚନାଯୋଗ୍ୟ, ହାଇଦ୍ରାବାଦର ସଙ୍ଗାରେଡ୍ଡୀ ଅଞ୍ଚଳରେ ରହୁଥିବା ଉକ୍ତ ନାବାଳିକା ଜଣଙ୍କ ଘରୁ ଟଙ୍କା ଚୋରିକୁ ନେଇ ମା’ଙ୍କ ସହ ଝଗଡା କରିଥିଲେ। ଏହା ପରେ ରାଗରେ ଘରୁ ପଳାଇଥିଲେ। ରାତି ହେବା ପରେ ମଧ୍ୟ ନାବାଳିକା ଜଣଙ୍କ ଘରକୁ ନ ଫେରିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ବିଳମ୍ବିତ ରାତିରେ ଘରେ ନାବାଳିକା ଜଣଙ୍କ ପହଞ୍ଚିଥିଲେ। ଏତେ ବିଳମ୍ବ ହେବା ଯୋଗୁ ଘର ଲୋକେ ଗାଳି କରିବେ ଭାବି ତାଙ୍କ ସହ ଗଣବଳାତ୍କାର ହୋଇଥିବା କହିଥିଲେ ନାବାଳିକା। ପରେ ତାଙ୍କ ପରିବାର ଲୋକେ ଏନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। କିନ୍ତୁ ନାବାଳିକା ସହ ବଳାତ୍କାର ହୋଇଥିବା କୌଣସି ପ୍ରମାଣ ମିଳିପାରି ନ ଥିଲା। ପରେ ଝିଅଟି ନିଜ ଭୁଲ ବୁଝିପାରି ପ୍ରେମିକଙ୍କ ସହ ସମୟ ବିତାଇବାରେ ଯୋଗୁ ଘଟଣାଦିନ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା ବୋଲି ନାବାଳିକା ଜଣଙ୍କ ପୋଲିସ ଆଗରେ ସ୍ବୀକାର କରିବା ସହ କ୍ଷମା ମାଗିଛନ୍ତି।

Share