ଗାଳ୍ପିକ ଅମରେଶଙ୍କୁ ‘କହ୍ନେଇ କଥା ପୁରସ୍କାର’

ବାଲେଶ୍ୱର ଅଫିସ, ୧୧।୬- ଓଡ଼ିଆ କଥା ସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧାରୀ ଗାଳ୍ପିକ ସ୍ବର୍ଗତ କହ୍ନେଇଲାଲ୍‌ ଦାସଙ୍କ ସ୍ମୃତିରେ ପ୍ରଦତ୍ତ ‘କହ୍ନେଇ କଥା ପୁରସ୍କାର’ ଚଳିତବର୍ଷ ପାଇଁ ଯୁବ ଗାଳ୍ପିକ ଅମରେଶ୍‌ ବିଶ୍ୱାଳଙ୍କୁ ପ୍ରଦାନ କରାଯିବ ବୋଲି ସ୍ମୃତି ସଂସଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର ସନ୍ଧ୍ୟାରେ କହ୍ନେଇଲାଲଙ୍କ ୭୨ତମ ସମାରୋହ ପାଳନ ପାଇଁ ପ୍ରସ୍ତୁତି ବୈଠକ କରାଯାଇ ସମାରୋହର ରୂପରେଖ ପ୍ରସ୍ତୁତ କରାଯାଇଛି।

କବି ଶ୍ରୀଦେବ ଓ ଗାଳ୍ପିକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ସଂସଦ ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ପ୍ରଖ୍ୟାତ ଲେଖକ, ନାଟ୍ୟକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ ଗିରିଶ କନ୍ନଡ଼ଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଅଣାଯିବା ସହ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା। ସଂସଦ ସମ୍ପାଦକ କବି ଉପତ୍ଳ ମହାନ୍ତି କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେବା ସହ ଚଳିତବର୍ଷର ବଜେଟ୍‌ ବାବଦରେ ଆଲୋଚନା କରିଥିଲେ। ସଂସଦର କାର୍ଯ୍ୟକାରୀ ସଭାପତି ତଥା ପୁରସ୍କାର କମିଟିର ମୁଖ୍ୟ କୃଷ୍ଣକୁମାର ମହାନ୍ତି ପୁରସ୍କାର ପାଇଁ ସମ୍ଭାବ୍ୟ ନାମ ତାଲିକା ପ୍ରକାଶ କରିବା ପରେ ତନ୍ମଧ୍ୟରୁ ଅମରେଶ୍‌ ବିଶ୍ୱାଳଙ୍କୁ ଉପସ୍ଥିତ କର୍ମକର୍ତ୍ତାମାନେ ସର୍ବସମ୍ମତି କ୍ରମେ ମନୋନୀତ କରିଥିଲେ। ତଦନୁସାରେ ଚଳିତ ଜୁନ୍‌ ୨୭ତାରିଖ ଗୁରୁବାର ସନ୍ଧ୍ୟାରେ କଳିଙ୍ଗ ହୋଟେଲ ସମ୍ମିଳନୀ କକ୍ଷରେ ଜୟନ୍ତୀ ସମାରୋହ ପାଳନ କରାଯିବା ସହ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ସମାରୋହରେ ବିଶିଷ୍ଟ ଗାଳ୍ପିକା ସରୋଜିନୀ ସାହୁ ଏବଂ କଥାକାର ସଦାନନ୍ଦ ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ‘କହ୍ନେଇ କଥା ପୁରସ୍କାର’ ବିଜେତାଙ୍କୁ ମାନପତ୍ର, ଉତ୍ତରୀୟ ଓ ଉପଢ଼ୌକନ ସହ ୫ ହଜାର ଅର୍ଥରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବାର ନିଷ୍ପତ୍ତି ହୋଇଛି। ଗାଳ୍ପିକ ନିବାରଣ ଜେନା, ଗଙ୍ଗାଧର ବିଶ୍ୱାଳ, ରଂଜନ ବାଗ, ବ୍ୟୋମନାଥ ରଥ, ସ୍ମୃତି ଦାସ, ଦିଲୀପ ପାଲ, ଶୁଭେନ୍ଦୁ ଦାସ, ଅଞ୍ଜନ ଚାନ୍ଦ, ରାମ ନାରାୟଣ ଦେ ଓ ସହସମ୍ପାଦକ ଯାଦବେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share