ପୂରା ନାମ ମିନତି ଖିଲାର। ହେଲେ ବାପା ମା’ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଜହ୍ନ। ଆଉ ସେହି ଜହ୍ନ ନଁାଟି ହିଁ ତାଙ୍କୁ ଓଡ଼ିଆ ଯାତ୍ରା ଜଗତରେ ପରିଚିତି ଆଣିଦେଲା। ଏବେ ମିନତି ବୋଲି କହିଲେ ହୁଏତ କେହି ଜାଣି ନ ପାରନ୍ତି। ମାତ୍ର ଜହ୍ନ ବୋଲି କହିଲେ ଯାତ୍ରାକୁ ଭଲ ପାଉଥିବା ଲୋକମାନଙ୍କ ଆଖିରେ ନାଚିଯିବ ନାଚିନାଚି ଗୀତ ଗାଉଥିବା ଜଣେ ସୁରିଲା ଗାୟିକାଙ୍କ ଚେହେରା। ସମ୍ପ୍ରତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ ଜଣେ ଗାୟିକା ଭାବରେ କାର୍ଯ୍ୟ କରୁଛନ୍ତି ଜହ୍ନ। ଘର ବାଲେଶ୍ୱର ଜିଲାର ଖନ୍ତାପଡ଼ା ନିକଟସ୍ଥ ପଣପଣା ଗ୍ରାମ। ୨୦୦୮ ମସିହାରେ ପ୍ରଥମେ ଆସିଲେ ଯାତ୍ରାକୁ। ସୋର ପାଖ ଅଭଣା ବିଷ୍ଣୁପୁରଠାରେ ‘ଜହ୍ନମାମୁ ଅପେରା’ ବୋଲି ଏକ ଯାତ୍ରା ଅନୁଷ୍ଠାନ ଥିଲା। ସେ ସେଇଠି ଯୋଗଦେଇ ନିଜ ଯାତ୍ରା ଜୀବନ ଆରମ୍ଭ କରିଥିଲେ। ସେମାନେ ଥିଲେ ପାଞ୍ଚଭଉଣୀ ଓ ଗୋଟିଏ ଭାଇ। ତାଙ୍କର ନମ୍ବର ଥିଲା ତୃତୀୟ। ଘରର ଅଭାବ ହିଁ ତାଙ୍କୁ ଯାତ୍ରା ପାର୍ଟିକୁ ଟାଣି ଆଣିଥିଲା। ଈଶ୍ୱର ତାଙ୍କୁ ଏକ ସୁରିଲା କଣ୍ଠ ଦେଇଥିଲେ। ସେଥିଲାଗି ସଂଗୀତରେ ତାଲିମ୍ ନ ନେଇ ବି ପିଲାଟି ବେଳୁ ଭାରି ଭଲ ଗୀତ ଗାଉଥିଲେ ସେ। ତାଙ୍କ ଘରେ ଖରାଖାଇ ମଙ୍ଗଳା ଠାକୁରାଣୀ ପୂଜା ପାଉଥିଲେ। ତାଙ୍କରି ପାଖରେ ସେ ସବୁବେଳେ ଗୀତ ବୋଲୁଥିଲେ। କୁହାଯାଏ, ଦେବୀ ବା ଦେବତାଙ୍କ ପାଖରେ କରାଯାଉଥିବା କୌଣସି କାର୍ଯ୍ୟ ବିଫଳ ଯାଏନା। ସମ୍ଭବତଃ ଦେବୀ ଖରାଖାଇ ମଙ୍ଗଳା ତାଙ୍କ ମନ କଥା ଜାଣିଲେ। ସେଥିଲାଗି ତାଙ୍କରି କୃପାରୁ ଜହ୍ନଙ୍କୁ ଏକ ଯାତ୍ରାପାର୍ଟି ମିଳିଗଲା। ଆଉ ମା’ଙ୍କ କରୁଣାରୁ ଗୀତରେ ବିଧିବଦ୍ଧ ତାଲିମ୍ ନେଇ ନ ଥିଲେ ମଧ୍ୟ ଯାତ୍ରା ପାର୍ଟିରେ ଗୀତ ଗାଇବାରେ କୌଣସି ଅସୁବିଧା ହୋଇ ନ ଥିଲା। ଜହ୍ନ ଯେ କେବଳ ଗୀତ ଗାଆନ୍ତି ସେକଥା ନୁହେଁ; ଗୀତ ଗାଉ ଗାଉ ଧୂମ୍ ଡ୍ୟାନ୍ସ ମଧ୍ୟ କରନ୍ତି। ଏ ବାବଦରେ ସେ କହନ୍ତି – ବୋଧହୁଏ ଗୀତ ଭଳି ନାଚ ମୋ ଭିତରେ ଥିଲା। ତେଣୁ ମୁଁ ମଞ୍ଚ ଉପରେ ଠିଆ ହୋଇ ଗୀତ ଗାଇ ପାରେନି। ଗୀତ ଗାଇବା ମାତ୍ରେ ମୋ ଗୋଡ଼ ଉଠିଯାଏ। ମୁଁ ନାଚି ପକାଏ। ଆଉ ଏହାକୁ ବି ଦର୍ଶକଦେବତା ଗ୍ରହଣ କରିନେଇଛନ୍ତି। ତେଣୁ ମୁଁ ମଞ୍ଚକୁ ଆସିବା ମାତ୍ରେ ସେମାନେ ଜାଣି ଯାଆନ୍ତି ଯେ, ଖାଲି ଗୀତ ହବନି। ଗୀତ ସହିତ ନାଚ ବି ହେବ। ହିନ୍ଦୀ, ଓଡ଼ିଆ ସାଙ୍ଗକୁ ସମ୍ବଲପୁରୀ ଗୀତ ଗାଇବାକୁ ଭଲ ପାଆନ୍ତି ସେ। ତେବେ ଓଡ଼ିଆ ଗୀତ ତାଙ୍କର ବେଶି ପସନ୍ଦ। ନମିତା ଅଗ୍ରଓ୍ବାଲ, ଅସୀମା ପଣ୍ଡା ଏବଂ ଦୀପ୍ତିରେଖାଙ୍କ ଗୀତକୁ ସେ ବେଶି ଗାଇବାକୁ ଭଲପାଆନ୍ତି। ଇତିମଧ୍ୟରେ ସେ ପାର୍ବତୀ ଗଣନାଟ୍ୟ, ବାଣେଶ୍ୱରୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ବାଘାଯତୀନ ଲୋକନାଟ୍ୟ, ରାଜଧାନୀ ଅପେରା ଆଦିରେ କଣ୍ଠଦାନ କରି ଏବେ ଆସି ପହଞ୍ଚତ୍ଛନ୍ତି ଯାତ୍ରାଶ୍ରୀ ବିଶ୍ୱଦରବାରରେ। ଚଳିତ ବର୍ଷର ନାଟକ ‘ଆକାଶ କଇଁଆ ଚିଲିକା ମାଛ’ର ରୋମାଣ୍ଟିକ୍ ଡୁଏଟ୍ ‘ଏ ମନର ମନ୍ଦିରରେ ତମେ ମୋ ଈଶ୍ୱର’ ଗୀତଟି ଖୁବ୍ ହିଟ୍ ହୋଇଛି। ଏହି ଗୀତର ସ୍ବରକାର ହେଉଛନ୍ତି ତାପସ ଦାସ (ଟିଟନ୍)। ସେ କଣ୍ଠଦାନ କରିଥିବା ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ଭଲ ପାଇବାକୁ ଭୟ ଲାଗୁଛି, ବର୍ଷା ରାତିର ସାଥୀ, ତମ କଥା ଭାରି ମନେ ପଡୁଛି, ମନେ ରଖିଛ ନା ଭୁଲି ଯାଇଛ, ଦୁନିଆ କହିବ କିଏ ମୋ ସ୍ବାମୀ, ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ, ଦି’ଘଣ୍ଟାର ବୋହୂ ଦି’ପଟ ଶଙ୍ଖା ଏବଂ ଆହୁରି ଅନେକ।