Categories: ଜାତୀୟ

ଗିରଫ ଲଶ୍କର ଆତଙ୍କବାଦୀ ମାନିଲେ: ପାକ୍‌ ସହାୟତାରେ ଅନୁପ୍ରବେଶ କରିଥିଲେ

ଶ୍ରୀନଗର,୫ା୯: ଗତ ମାସରେ ଜମ୍ମୁ-କଶ୍ମୀର ସୀମାନ୍ତରୁ ଗିରଫ ହୋଇଥିବା ଲଶ୍କର-ଇ-ତୋଇବାର ଦୁଇଜଣ ଆତଙ୍କବାଦୀ ପାକିସ୍ତାନ ସରକାରଙ୍କ ସହାୟତାରେ ଅନୁପ୍ରବେଶ କରିଥିଲେ ବୋଲି ସ୍ବୀକାର କରିଛନ୍ତି। ଜମ୍ମୁ-କଶ୍ମୀରରେ ଆକ୍ରମଣ କରିବା ଲାଗି ସେମାନଙ୍କୁ ପଠାଯାଇଥିଲା ବୋଲି ବୁଧବାର ଖବରଦାତା ସମ୍ମିଳନୀରେ ଜଣେ ବରିଷ୍ଠ ସେନାଧିକାରୀ ସୂଚନା ଦେଇଛନ୍ତି।
ଦୁଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗତମାସ ୨୧ରେ ସେନା ଯବାନ ଗିରଫ କରିଥିଲେ। ଲଶ୍କର ପାଇଁ କାମ କରୁଥିବା ଏବଂ ସେମାନଙ୍କ ଆକ୍ରମଣ ଯୋଜନା ସମ୍ପର୍କରେ ଜେରାବେଳେ ସ୍ବୀକାର କରିଛନ୍ତି। ସେମାନେ ସୀମା ଆରପଟେ ପାକିସ୍ତାନର କଚେରବାନ୍‌ଠାରେ ସପ୍ତାହେ ତାଲିମ ନେଇଥିଲେ ବୋଲି ଚିନାର କର୍ପସ୍‌ କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ କେଜେଏସ୍‌ ଢିଲୋଁ ସୂଚନା ଦେଇଛନ୍ତି। ସେମାନଙ୍କ ସ୍ବୀକାରୋକ୍ତି ସମୟର ଭିଡିଓ ସେନା ପକ୍ଷରୁ ଶେୟାର କରାଯାଇଛି। ଜଣେ ଆତଙ୍କବାଦୀ ରାଓ୍ବଲପିଣ୍ଡିର ଜଲେବି ଚୌକରୁ ଆସିଥିବା କହିଛନ୍ତି। ସେ ଓ ତାଙ୍କ ସହଯୋଗୀ ନଜିମ୍‌ ୪/୫ ବର୍ଷ ହେଲା ମୁଜାହିଦ୍ଦିନ ଓ ଲଶ୍କର ସଂଗଠନ ପାଇଁ କାମ କରୁଥିଲେ। ଜମ୍ମୁ-କଶ୍ମୀରରେ ଆକ୍ରମଣ ଉଦ୍ଦେଶ୍ୟରେ ପାକ୍‌ ସରକାରଙ୍କ ସହାୟତା ନେଇ ସେମାନେ ଅନୁପ୍ରବେଶ କରିଥିବା କହିଛନ୍ତି।
ଗୁଲମାର୍ଗ ଓ ଅନ୍ୟ ଅଞ୍ଚଳ ଦେଇ କ୍ରମାଗତ ଭାବେ ଅନୁପ୍ରବେଶ ଉଦ୍ୟମ ଜାରି ରହିଥିବା ଭିଡିଓରୁ ସ୍ପଷ୍ଟ ହୋଇଛି ବୋଲି ପୋଲିସ ଅତିରିକ୍ତ ଡିଜି ମୁନିର ଖାନ୍‌ କହିଛନ୍ତି।

Share