ଭାଟସାହି ଗ୍ରାମରେ ଖଟ ବୁଲିବା ଘଟଣା: ଗିରଫ ହେଲେ ଗୁଣିଆ

ନୟାଗଡ଼ ଅଫିସ,୩।୧୧-ନୟାଗଡ଼ ଟାଉନ ଥାନା ଭାଟସାହି ଗ୍ରାମରେ ଖଟବୁଲା ଘଟଣାରେ ପୋଲିସ ଶନିବାର ସମ୍ପୃକ୍ତ ଗୁଣିଆକୁ ଗିରଫ କରିଛି। ଗିରଫ ଗୁଣିଆ ଜଣଙ୍କ ହେଲେ ବେଲବଣି ଗ୍ରାମର ବାଙ୍କନିଧି ନାହାକ ଓରଫ ହାଡ଼ିବନ୍ଧୁ। ଏ ନେଇ ଥାନାରେ ନଂ.୧୬୧/୧୯ରେ ଏକ ମାମଲା ରୁଜୁ କରାଯାଇ ହାଡ଼ିବନ୍ଧୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଟାଉନ ଥାନା ଅଧିକାରୀ ଜୟଦୀପ ମହାନ୍ତି ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଭାଟସାହି ଗ୍ରାମ ତୋଟାସାହିର ବିଜୟ ବେହେରାଙ୍କ ଘରୁ ୨ ସପ୍ତାହ ତଳେ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ଚୋରି ହେବା ନେଇ ସେ ଗ୍ରାମ କମିଟିକୁ ଜଣାଇଥିଲେ। ପରେ ଗ୍ରାମରେ ବୈଠକ ବସି ଚୋର ଧରିବା ପାଇଁ ପୋଲିସଠାରେ ଅଭିଯୋଗ କରିବା ବଦଳରେ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତିରେ ଗ୍ରାମର କୌଣସି ବ୍ୟକ୍ତି ଖଟବୁଲା ବିଷୟରେ ବାହାରେ କାହାକୁ ନ କହିବା ପାଇଁ ତାଗିଦ୍‌ କରାଯାଇଥିଲା। ସେହିଭଳି ଯିଏ ଏ ଘଟଣା ବିଷୟରେ ବାହାରେ ପ୍ରଘଟ କରିବେ ତାଙ୍କୁ ୨ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଗୁଣିଆ ହାଡ଼ିବନ୍ଧୁଙ୍କୁ ଯୋଗାଯୋଗ କରିବାରୁ ସେ ୩୭ ହଜାର ଟଙ୍କା ନେବେ ବୋଲି କହିଥିଲେ। ପରେ ଗ୍ରାମବାସୀ ୩ ହଜାର ଟଙ୍କା ଆଗୁଆ ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ଚୋର ଧରିଲା ପରେ ଦେବେ ବୋଲି ତୁଟିଥିଲା। ଶୁକ୍ରବାର ଗ୍ରାମକୁୂ ଗୁଣିଆ ଆସି ଖଟ ବୁଲାଉଥିବା ବେଳେ ୩ ଥର ଟାଉନ ପୋଲିସ ଯାଇଥିଲେ ମଧ୍ୟ ଗୁଣିଆଙ୍କୁ ଧରି ପାରି ନ ଥିଲା। ପରେ ପୋଲିସ ସନ୍ଧ୍ୟାରେ ଗୁଣିଆ ହାଡିବନ୍ଧୁଙ୍କୁ ଧରି ଅଟକ ରଖିଥିଲା। ଶନିବାର ଗିରଫ କରିଛି। ପ୍ରକାଶ ଯେ, ଜୁନ୍‌ ୧୦ ତାରିଖରେ ରଣପୁର ଥାନା କୋଟଗଡ଼ ଗ୍ରାମରେ ଓ ଜୁନ୍‌ ୨୨ତାରିଖରେ ସଦର ଥାନା ବାଲିପାଟଣା ଗ୍ରାମରେ ଖଟ ବୁଲାଇବା ଘଟଣାରେ ପୋଲିସ ୨ ଜଣ ଗୁଣିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Share