ଗିରଫ ହୋଇପାରନ୍ତି ଅଭିନେତ୍ରୀ ଅମୀଷା ପଟେଲ

ବଲିଉଡ୍‌ ଅଭିନେତ୍ରୀ ଅମୀଷା ପଟେଲ ଏକ ବଡ଼ ସମସ୍ୟାରେ ପଡ଼ିଛନ୍ତି। ଏପରିକି ସେ ଗିରଫ ମଧ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। ଅମୀଷା ଏବଂ ତାଙ୍କ ବନ୍ଧୁ କୁନାଲ ଘୁମର ରାଞ୍ଚିର ଫିଲ୍ମ ନିର୍ମାତା ଅଜୟଙ୍କୁ ୩ କୋଟି ଟଙ୍କାର ଏକ ଚେକ୍‌ ଦେଇଥିଲେ, ଯାହା ବାଉନ୍‌ସ ହୋଇଯାଇଛି। ବର୍ତ୍ତମାନ ଏହି ମାମଲାରେ ରାଞ୍ଚିର ନିମ୍ନ ଅଦାଲତ ଅମୀଷା ଏବଂ ତାଙ୍କ ବନ୍ଧୁଙ୍କ ନାମରେ ଓ୍ବାରେଣ୍ଟ ଜାରି କରିଛନ୍ତି। ରାଞ୍ଚି କୋର୍ଟ ବାରମ୍ବାର ଏହି ଦୁଇଜଣଙ୍କୁ ସମନ ଜାରି କରିଥିଲେ ମଧ୍ୟ ହାଜର ହେଉନାହାନ୍ତି। ଏହି କାରଣରୁ ରାଞ୍ଚି ପୋଲିସକୁ ଅକ୍ଟୋବର ୪ରେ ଓ୍ବାରେଣ୍ଟ ପଠାଯାଇଛି। ପୋଲିସ ଅମୀଷା ଏବଂ ତାଙ୍କ ବନ୍ଧୁକୁ ଗିରଫ କରିପାରେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଅମୀଷା ଏବଂ କୁନାଲ ଅପ୍‌ କମିଂ ଫିଲ୍ମ ‘ଦେଶୀ ମ୍ୟାଜିକ୍‌’ ପାଇଁ ଅଜୟଙ୍କଠାରୁ ଅଢ଼େଇ କୋଟି ଟଙ୍କା ନେଇଥିଲେ। ଏଥିରେ ଅମୀଷା ଅଭିନୟ କରିବା ସହିତ ପ୍ରଯୋଜନା ମଧ୍ୟ କରୁଥିଲେ। ଏହି ଫିଲ୍ମ ୨୦୧୩ରେ ନିର୍ମାଣ ଆରମ୍ଭ ହୋଇଥିଲା। ଅମୀଷା ଅଜୟଙ୍କୁ କହିଥିଲେ ଫିଲ୍ମ ରିଲିଜ ପରେ ଉକ୍ତ ଟଙ୍କା ଫେରାଇ ଦେବେ। ଅଜୟ ଦୀର୍ଘଦିନ ଅପେକ୍ଷା କରିଥିଲେ ମଧ୍ୟ ଅମୀଷା ନେଇଥିବା ଟଙ୍କା ଫେରାଇଲେ ନାହିଁ। ଅଜୟ ବାରମ୍ବାର ଅମୀଷାଙ୍କୁ ଟଙ୍କା ମାଗିବାରୁ ସେ ୩ କୋଟିର ଏକ ଚେକ୍‌ ଦେଇଥିଲେ। ଏହି ଚେକ୍‌ ବାଉନ୍‌ସ ହୋଇଗଲା। ଅଜୟ ପୁଣି ଥରେ ଅମୀଷାଙ୍କୁ ଟଙ୍କା ମାଗିବାରୁ ସେ ମନା କରିଦେଲେ। ଏହା ପରେ ଅଜୟ ରାଞ୍ଚି ଅଦାଲତରେ ମାମଲା ଦାୟର କରିଥିଲେ।

Share