Categories: ଖେଳ

ଗିରୋ ଡି’ ଇଟାଲିଆ

ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୦୬ତମ ସଂସ୍କରଣ ଇତିମଧ୍ୟରେ ଆରମ୍ଭ ହୋଇଛି। ତିନି ସପ୍ତାହ ବିଶିଷ୍ଟ ଏହି ଗ୍ରାଣ୍ଡ ଟୁର୍‌ ସାଇକେଲ ରେସ୍‌ ଗତ ୬ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ଶୁଭାରମ୍ଭ ଓର୍ଟୋନାଠାରେ ଆରମ୍ଭ ହୋଇଥିଲା। ରୋମ୍‌ଠାରେ ଶେଷ ହେବାକୁଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ମୋଟ ୨୧ଟି ଷ୍ଟେଜ ଅନୁଷ୍ଠିତ ହେବ। ଏହା ମଧ୍ୟରେ ୩ଟି ଇଣ୍ଡିଭିଜୁଆଲ୍‌ ଟାଇମ୍‌ ଟ୍ରାଏଲ୍‌ ରହିବ। ଏହାର ୬ଟି ଷ୍ଟେଜ୍‌ ୨୦୦ କିମିରୁ ଊର୍ଦ୍ଧ୍ୱ ଦୂରତା ବିଶିଷ୍ଟ। ରେସ୍‌ର ଓଭରଅଲ୍‌ ଦୂରତ୍ୱ ୩,୪୪୮ କିଲୋମିଟର (୨,୧୪୨ ମାଇଲ)। ଏଥର ରେସ୍‌ରେ ୨୨ଟି ଟିମ୍‌ର ମୋଟ ୨୧୮ ସାଇକ୍ଲିଷ୍ଟ ଭାଗ ନେଇଛନ୍ତି।
ପ୍ରତିଯୋଗିତାର ପ୍ରଥମ ଷ୍ଟେଜ୍‌ ଫୋସାସେସିଆଠାରୁ ଓର୍ଟୋନା ପର୍ଯ୍ୟନ୍ତ ହୋଇଥିଲା। ୧୮.୪ କିଲୋମିଟର ବିଶିଷ୍ଟ ଏହି ରେସ୍‌ ଇଣ୍ଡିଭିଜୁଆଲ୍‌ ଟାଇମ୍‌ ଟ୍ରାଏଲ ଅନ୍ତର୍ଗତ ଥିଲା। ଏଥିରେ ବେଲ୍‌ଜିଆନ ସାଇକ୍ଲିଷ୍ଟ ରେମ୍‌କୋ ଇଭେନ ପୋଏଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଇଟାଲୀର ଫିଲିପୋ ଗାନା ଦ୍ୱିତୀୟ ଓ ପର୍ତ୍ତୁଗାଲର ଜୋଆଓ ଆଲ୍‌ମେଡା ତୃତୀୟ ହୋଇଥିଲେ। ଦ୍ୱିତୀୟ ଷ୍ଟେଜ ଟେରାମୋଠାରୁ ଆରମ୍ଭ ହୋଇ ସାନ୍‌ ସାଲ୍‌ଭୋଠାରେ ଶେଷ ହୋଇଥିଲା। ଏହା ୨୦୪ କିଲୋମିଟର ବିଶିଷ୍ଟ ଏବଂ ଫ୍ଲାଟ୍‌ ଷ୍ଟେଜ୍‌ ଥିଲା। ଇଟାଲୀର ଜୋନାଥନ ମିଲାନ ଏହି ଷ୍ଟେଜ୍‌ରେ ପ୍ରଥମ ହୋଇଥିଲେ। ସେ ୪ ଘଣ୍ଟା ୫୫.୧୧ ସେକେଣ୍ଡ ସମୟ ନେଇଥିଲେ। ନେଦରଲାଣ୍ଡ୍ସର ଡେଭିଡ ଡେକର ଓ ଅଷ୍ଟ୍ରେଲିଆର କାଡେନ ଗ୍ରୋଭ୍ସ ପରବର୍ତ୍ତୀ ୨ ସ୍ଥାନରେ ରହିଥିଲେ। ଭାଷ୍ଟୋଠାରୁ ମେଲଫି ପର୍ଯ୍ୟନ୍ତ ତୃତୀୟ ଷ୍ଟେଜ ୨୧୦ କିଲୋମିଟର ବିଶିଷ୍ଟ ଥିଲା। ଏହି ଇଣ୍ଟରମିଡିଏଟ୍‌ ଷ୍ଟେଜ୍‌ରେ ଅଷ୍ଟ୍ରେଲିଆର ମାଇକେଲ ମାଥ୍ୟୁସ ୫ ଘଣ୍ଟା ୧.୪୧ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଡେନ୍‌ମାର୍କର ମାଡ୍ସ ପେଡେରେସନ ଦ୍ୱିତୀୟ ଓ ଅଷ୍ଟ୍ରେଲିଆର କାଡେନ ଗ୍ରୋଭ୍ସ ତୃତୀୟ ସ୍ଥାନରେ ରହିଥିଲେ। ତୃତୀୟ ରାଉଣ୍ଡ ଶେଷସୁଦ୍ଧା ବେଲଜିୟମର ରେମ୍‌କୋ ଇଭେଲପୋଏଲ୍‌ ଓଭରଅଲ୍‌ ଅଗ୍ରଣୀ ହାସଲ କରିଛନ୍ତି।

Share