ଗିଲ୍‌ଗିଟ-ବଲ୍‌ତିସ୍ତାନର ଗୁରୁତ୍ୱ

ଡ. ବାଞ୍ଛାନିଧି ପଣ୍ଡା
ଜମ୍ମୁ-କଶ୍ମୀର ସମସ୍ୟାକୁ ସମୁଚିତ ଭାବରେ ବୁଝିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟରେ ଗିଲ୍‌ଗିଟ-ବଲ୍‌ତିସ୍ତାନ କ୍ଷେତ୍ରର ମହତ୍ତ୍ୱ ଅନ୍ୟତମ। ୧୯୪୭ରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରି ଭାରତବର୍ଷର ଯେଉଁ ଭୂଖଣ୍ଡକୁ ଅବୈଧ ଭାବରେ କବ୍ଜା କରି ରଖିଛି ସେଥିରେ ଗିଲ୍‌ଗିଟ-ବଲ୍‌ତିସ୍ତାନ କ୍ଷେତ୍ର ଅନ୍ତର୍ଭୁକ୍ତ। ଏହାର ପ୍ରଶାସନିକ କେନ୍ଦ୍ର ହେଉଛି ଗିଲ୍‌ଗିଟ ସହର।
ପୃଥିବୀରେ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ କେତେକ ଅଞ୍ଚଳ ମଧ୍ୟରେ ଏହି କ୍ଷେତ୍ରଟି ଅନ୍ୟତମ। ପାଞ୍ଚଟି ଦେଶର ସୀମା ଏହି କ୍ଷେତ୍ରକୁ ସ୍ପର୍ଶ କରିଛି। ସେହି ଦେଶଗୁଡ଼ିକ ହେଲା ପାକିସ୍ତାନ, ଆଫଗାନିସ୍ତାନ, ତାଜିକ୍‌ସ୍ତାନ (ପୂର୍ବତନ ସୋଭିଏଟ୍‌ର ଅଙ୍ଗ ପ୍ରଜାତନ୍ତ୍ର), ଚାଇନା (ଜିନ୍‌ଜିଆଙ୍ଗ) ଓ ତିବ୍ବତ। କେନ୍ଦ୍ର ଏସିଆ ଓ ଦକ୍ଷିଣ ଏସିଆକୁ ସଂଯୋଗ କରୁଥିବା ଏହି ଦୁର୍ଗମ କ୍ଷେତ୍ରରେ ଉପସ୍ଥିତି ଦ୍ୱାରା କୌଣସି ଦେଶ ସମଗ୍ର ଏସିଆରେ ନିଜର ପ୍ରଭୁତ୍ୱ ଜାହିର କରିପାରିବ। ତେଣୁ ପୃଥିବୀର ସମସ୍ତ ଶକ୍ତିଶାଳୀ ଦେଶ ଏଠାରେ ନିଜର ଉପସ୍ଥିତି ପାଇଁ ଆପ୍ରାଣ ଚେଷ୍ଟା କରିଆସୁଛନ୍ତି। ୭୨,୯୧୭ ବର୍ଗ କି.ମି. ପରିମିତ ଏହି କ୍ଷେତ୍ରର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ। ଦୁଇଟି ଡିଭିଜନ ଥିବା ଏହି କ୍ଷେତ୍ରରେ ବଲ୍‌ତିସ୍ତାନର ଦୁଇଟି ଓ ଗିଲ୍‌ଗିଟର ପଞ୍ଚୋଟି ଜିଲା ଅଛି।
ଏହି ଅଞ୍ଚଳ ଉପରେ ଭାରତବର୍ଷର ନ୍ୟାୟୋଚିତ ଅଧିକାରକୁ ଦୁର୍ବଳ କରିବା ପାଇଁ ୨୯ ଅଗଷ୍ଟ ୨୦୦୯ରେ ଗିଲ୍‌ଗିଟ-ବଲ୍‌ତିସ୍ତାନ ଅଧିକାରିତା ଏବଂ ସ୍ବପ୍ରଶାସନ ଆଦେଶ ପାକିସ୍ତାନ ମନ୍ତ୍ରିମଣ୍ଡଳରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କଲା। ନିର୍ବାଚନ ଦ୍ୱାରା ଗଠିତ ବିଧାନସଭା ମାଧ୍ୟମରେ ଲୋକଙ୍କୁ ଶାସନର ସୁଯୋଗ ଦେବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ବୋଲି ଘୋଷଣା କରାଗଲା। ଏହା ବିରୋଧରେ ଭାରତ ଓ ଗିଲ୍‌ଗିଟ-ବଲ୍‌ତିସ୍ତାନ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଇ ବନ୍ଦ ପାଳନ କରାଗଲା।
ଇଂଲଣ୍ଡ ନିଜ ଆର୍ଥିକ ହିତ ଦୃଷ୍ଟିରୁ ପୂର୍ବ ଦେଶଗୁଡ଼ିକୁ ଯୋଡୁଥିବା ସଡକମାର୍ଗ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲା। ୧୯୧୯ ରୁଷ୍‌ ବିପ୍ଳବର ପରିଣାମ ସ୍ବରୂପ ରୁଷ୍‌ରେ କମ୍ୟୁନିଷ୍ଟ ସରକାର ସ୍ଥାପିତ ହେବା ପରେ ଇଂଲଣ୍ଡ ନିଜ ଆଧିପତ୍ୟ ବିସ୍ତାର କ୍ଷେତ୍ରରେ ଏକ ନୂତନ ପ୍ରତିଦ୍ୱନ୍ଦ୍ୱିତାର ଆଶଙ୍କା କଲା। ୧୯୭୫ରେ ତାଜିକସ୍ତାନକୁ ଅଧିକାର କରିବା ପରେ ରୁଷ୍‌ର ସୀମା ଗିଲ୍‌ଗିଟ କ୍ଷେତ୍ରକୁ ସ୍ପର୍ଶ କଲା। ରୁଷ୍‌ ଓ ଚାଇନାର ବିସ୍ତାରକୁ ରୋକିବା ପାଇଁ ଗିଲ୍‌ଗିଟ କ୍ଷେତ୍ରର ସୁରକ୍ଷା ଓ ପ୍ରଶାସନର ଦାୟିତ୍ୱ ନିଜ ହାତରେ ରଖିବା ଲାଗି ଇଂଲଣ୍ଡ ମନସ୍ଥ କଲା। ଏହି କ୍ଷେତ୍ର ମହାରାଜ ହରି ସିଂଙ୍କ ଦ୍ୱାରା ଶାସିତ ଜମ୍ମୁ-କଶ୍ମୀରର ଅଂଶ ଥିଲା। ତେଣୁ ଏହାକୁ ଇଂଲଣ୍ଡ ହାତରେ ଟେକିଦେବା ପାଇଁ ହରି ସିଂଙ୍କ ଉପରେ ଇଂଲଣ୍ଡ ଚାପ ସୃଷ୍ଟି କଲା। ମାତ୍ର ହରି ସିଂ ଏହି ଅଞ୍ଚଳରେ ନିଜର ସାର୍ବଭୌମତ୍ୱ ଛାଡିବା ପାଇଁ ପ୍ରସ୍ତୁତ ନ ଥିଲେ। ଏହି ଅଞ୍ଚଳରେ ବ୍ରିଟିଶ୍‌ ସରକାର ପ୍ରାୟୋଜିତ ମହାରାଜା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଲା। ଶେଷରେ ହରି ସିଂ ବାଧ୍ୟହୋଇ ବ୍ରିଟିଶ୍‌ ସରକାର ସହ ବୁଝାମଣା କଲେ। ସିନ୍ଧୁନଦୀର ଅପର ପାର୍ଶ୍ୱରେ ଗିଲ୍‌ଗିଟର ଏକ ଅଂଶକୁ ଷାଠିଏ ବର୍ଷ ପାଇଁ ବ୍ରିଟିଶ୍‌ ସରକାରକୁ ପଟ୍ଟାରେ ଦେଲେ। ବ୍ରିଟିଶ୍‌ ସରକାର ଏହି ଅଞ୍ଚଳକୁ ଗିଲ୍‌ଗିଟ ଏଜେନ୍ସି ନାମ ଦେଇ ତା’ର ସୁରକ୍ଷା ପାଇଁ ଗିଲ୍‌ଗିଟ ସ୍କାଉଟ ନାମରେ ଏକ ସୈନ୍ୟବାହିନୀ ଗଠନ କଲେ। ଭାରତବର୍ଷର ସ୍ବାଧୀନତା ସମୟରେ ଏହି ଅଞ୍ଚଳକୁ ଇଂରେଜମାନେ ମହାରାଜାଙ୍କୁ ଫେରସ୍ତ କରିଦେଇଥିଲେ।
ଚାଇନାର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ରୋକିବା ଉଦ୍ଦେଶ୍ୟରେ ରୁଷିଆ ଗିଲ୍‌ଗିଟ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର ପାଇଁ ଚାହୁଁଥିଲା। ଏହାକୁ ଦୃଷ୍ଟିରେ ରଖି ରୁଷିଆ ଷାଠିଏ ଦଶକରେ ପାକିସ୍ତାନକୁ ବିଭିନ୍ନ ସମୟରେ ସହଯୋଗ କରି ଆସୁଥିଲା।
ଚାଇନା କ୍ରମାଗତ ଭାବରେ ପିଓକେରେ ନିଜର କାର୍ଯ୍ୟକଳାପ ବିସ୍ତାର କରିଚାଲିଛି। ଭାରତ ବିପକ୍ଷରେ ଚାଇନାର ସକ୍ରିୟ ସହଯୋଗ ଆଶାରେ ପାକିସ୍ତାନ ଚାଇନାକୁ ସହଯୋଗ କରୁଛି। ଗିଲ୍‌ଗିଟ-ବଲ୍‌ତିସ୍ତାନ କ୍ଷେତ୍ରରେ ଥିବା ଶକଗାମ ପଥ ନାମରେ ପରିଚିତ ଛଅ ହଜାର ବର୍ଗ କି.ମି.ର ଏକ ଅଂଶକୁ ପାକିସ୍ତାନ ଚାଇନାକୁ ଅର୍ପଣ କରିଛି। ‘ଚାଇନା-ପାକିସ୍ତାନ-ଇକୋନୋମିକ-କରିଡର’ ଦେଇ ଚାଇନା ପାକିସ୍ତାନର ଗ୍ବାଜର ବନ୍ଦରରେ ପହଞ୍ଚି ସାରିଲାଣି, ଯାହାକି ସାମରିକ ଦୃଷ୍ଟିରୁ ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ। ବର୍ତ୍ତମାନ ଗିଲ୍‌ଗିଟ ଅଞ୍ଚଳରେ ଚାଇନାର ଏଗାର ହଜାର ସୈନ୍ୟ ଉପସ୍ଥିତ ଅଛନ୍ତି। ବିଗତ କିଛି ବର୍ଷ ଭିତରେ ଚାଇନା ଏଠାରେ ୬୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି। ଅନେକ ଚାଇନା କମ୍ପାନୀ ଓ କର୍ମଚାରୀ ସେଠାରେ କାର୍ଯ୍ୟରତ ଅଛନ୍ତି। ଗିଲ୍‌ଗିଟର ଅସ୍ତୋର ଜିଲାସ୍ଥିତ ବୁଞ୍ଜିଠାରେ ସାତ ହଜାର ମେଗାଓ୍ବାଟ୍‌ ସମ୍ପନ୍ନ ଏକ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରିବା ପାଇଁ ପାକିସ୍ତାନ ଚାଇନାକୁ ଅନୁମତି ପ୍ରଦାନ କରିଛି। ଆମେରିକା ଜମ୍ମୁ-କଶ୍ମୀରକୁ ବିବାଦୀୟ ଅବସ୍ଥାରେ ରଖିବା ପାଇଁ ଚାହୁଁଛି। ଭାରତ-ପାକିସ୍ତାନ ମଧ୍ୟରେ ଜମ୍ମୁ-କଶ୍ମୀର ଏକ ସ୍ବାଧୀନ ରାଷ୍ଟ୍ର ରୂପେ ଛିଡାହେଉ, ଏହା ଆମେରିକାର ଇଚ୍ଛା। କାରଣ କୂଟନୈତିକ ଦୃଷ୍ଟିରୁ ଏହା ଆମେରିକା ପାଇଁ ଅନୁକୂଳ। ଜମ୍ମୁ-କଶ୍ମୀରରେ ଯଦି ଆମେରିକାକୁ ଉପସ୍ଥିତିର ସୁଯୋଗ ମିଳେ ତେବେ ସେ ଚାଇନା ସମେତ ଏସିଆ ଓ ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ (ସାର୍କ) ରାଷ୍ଟ୍ରଗୁଡିକ ଉପରେ ଦୃଷ୍ଟି ନିବଦ୍ଧ କରିପାରିବ।
୧୯୫୦ ଦଶକରେ ଆମେରିକା ହିଁ ଶେଖ୍‌ ଅବଦୁଲ୍ଲାଙ୍କ ସ୍ବତନ୍ତ୍ର ଜମ୍ମୁ-କଶ୍ମୀରର ଆକାଂକ୍ଷାକୁ ଜାଗ୍ରତ କରି ରଖିଥିଲା। ଭାରତ ବିରୋଧରେ ସମସ୍ତ ଆତଙ୍କବାଦୀ ଘଟଣାରେ ଆଇଏସ୍‌ଆଇର ହାତ ଥିବା ପ୍ରମାଣ ମିଳିଲେ ମଧ୍ୟ ପାକିସ୍ତାନ ବିରୋଧରେ ଆମେରିକା କୌଣସି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିନାହିଁ। ଚାଇନା ମଧ୍ୟ ଗିଲ୍‌ଗିଟ ବଲ୍‌ତିସ୍ତାନରେ ନିଜର ସାମରିକ ହିତକୁ ଧ୍ୟାନରେ ରଖି ଜମ୍ମୁ-କଶ୍ମୀର ବିବାଦକୁ ଉଜ୍ଜୀବିତ ରଖିବା ପାଇଁ ଚାହୁଁଛି। ପାକିସ୍ତାନ ଗିଲ୍‌ଗିଟ-ବଲ୍‌ତିସ୍ତାନରେ ପଞ୍ଜାବୀ ଭାଷାଭାଷୀ ଏବଂ ପଖତୁନ୍‌ ସୁନ୍ନି ମୁସଲମାନମାନଙ୍କର ବସତି ସ୍ଥାପନ କରି ସେଠାକାର ସ୍ଥାନୀୟ ଲୋକଙ୍କୁ ସଂଖ୍ୟାଲଘୁ କରିବା ପାଇଁ ପ୍ରୟାସ ଜାରି ରଖିଛି। ଏତଦ୍ଦ୍ବାରା ଗିଲ୍‌ଗିଟ-ବଲ୍‌ତିସ୍ତାନରେ ନିଜର ଅଧିକାରକୁ ଯୁକ୍ତିଯୁକ୍ତ କରିବା ପାଇଁ ପାକିସ୍ତାନ ଚେଷ୍ଟା କରୁଛି। ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ୧୯୯୪ରେ ଏକ ଐତିହାସିକ ନିର୍ଣ୍ଣୟରେ ସ୍ପଷ୍ଟ କରିଛନ୍ତି ଯେ, ଗିଲ୍‌ଗିଟ-ବଲ୍‌ତିସ୍ତାନ ଜମ୍ମୁ-କଶ୍ମୀରର ଅଂଶବିଶେଷ। ହରି ସିଂ ସମଗ୍ର ଜମ୍ମୁ-କଶ୍ମୀରକୁ ଭାରତ ସହିତ ବିଲୟ କରିଥିବା ସତ୍ତ୍ୱେ ୨୦୦୯ରେ ପାକିସ୍ତାନ ଗିଲ୍‌ଗିଟ-ବଲ୍‌ତିସ୍ତାନରେ ବିଧାନସଭା ଗଠନ କରିଛି।
ଆନନ୍ଦର ବିଷୟ ଯେ, ଏବେ ଗିଲ୍‌ଗିଟ-ବଲ୍‌ତିସ୍ତାନ ସମେତ ସମଗ୍ର ପାକ୍‌ ଅଧିକୃତ କଶ୍ମୀରକୁ ଦଖଲ କରିବା ପାଇଁ ଭାରତ ନିଜ ସଂକଳ୍ପ ଘୋଷଣା କରିଛି। ଏହା ହେଲେ ପୃଥିବୀର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାରତରେ ଅନ୍ତର୍ଭୁକ୍ତ ହେବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହା ସହଜ ନୁହେଁ। ପାକିସ୍ତାନ ଯଦି ଭାରତ ଉପରେ କୌଣସି କାରଣରୁ କାର୍‌ଗିଲ ଭଳି ଆକ୍ରମଣ କରେ ତେବେ ଭାରତ ତା’ର ଜବାବ ଦେବାକୁ ଯାଇ ପ୍ରତିଆକ୍ରମଣ ଦ୍ୱାରା ଗିଲ୍‌ଗିଟ-ବଲ୍‌ତିସ୍ତାନ ସମେତ ସମଗ୍ର ପାକ୍‌ ଅଧିକୃତ କଶ୍ମୀରକୁ ଦଖଲ କରିନେବା ଅସମ୍ଭବ ନୁହେଁ। ତା’ହେଲେ ବିଶ୍ୱ ସମୁଦାୟ ଭାରତକୁ ଦୋଷ ଦେଇପାରିବ ନାହିଁ।
ପଦ୍ମପୁର, ବରଗଡ଼, ମୋ-୯୭୭୭୯୧୧୫୯୦


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri