Categories: ଖେଳ

ଗିଲ୍‌ଙ୍କୁ ମ୍ୟାଚ ଫି’ର ଶତ ପ୍ରତିଶତ ଜରିମାନା

ନୂଆଦିଲ୍ଲୀ, ୮ା୧ (ପି.ଟି.)- ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସହମତି ପ୍ରକାଶ କରିବା ଅଭିଯୋଗରେ କ୍ରିକେଟର ଶୁବମନ ଗିଲ୍‌ ଦଣ୍ଡିତ ହୋଇଛନ୍ତି। ତାଙ୍କୁ ମ୍ୟାଚ ଫି’ର ଶତପ୍ରତିଶତ ଜରିମାନା ହୋଇଛି। ଗତ ସପ୍ତାହରେ ମୋହାଲିଠାରେ ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ ବେଳେ ଶୁବମନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆଚରଣ ବିଧି ଉଲ୍ଲଂଘନ କରିଥିଲେ। ଏହି ମ୍ୟାଚ ବେଳେ ଖରାପ ଆଚରଣ ପାଇଁ ଦିଲ୍ଲୀର ସିନିୟର ବ୍ୟାଟ୍ସମ୍ୟାନ ଧ୍ରୂବ ଶୋରେଙ୍କ ମ୍ୟାଚ ଫି’ର ୫୦ ପ୍ରତିଶତ ଜରିମାନା ହୋଇଛି। ମ୍ୟାଚର ପ୍ରଥମ ସେସନରେ ବିବାଦ ସୃଷ୍ଟି ହୋଇଥିଲା। ଅନ୍‌-ଫିଲ୍ଡ ଅମ୍ପାୟର ମହମ୍ମଦ ରଫି ଆଉଟ ଦେବାପରେ ଗିଲ୍‌ଙ୍କର ତାଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ପରେ ରଫି ଲେଗ୍‌ ଅମ୍ପାୟର ପଶ୍ଚିମ ପାଠକଙ୍କ ସହିତ ପରାମର୍ଶ କରି ତାଙ୍କ ନିଷ୍ପତ୍ତି ବଦଳାଇଥିଲେ। ଦିଲ୍ଲୀ ଟିମ୍‌ ଏଥିରେ ଖୁସି ନ ଥିବା ଦେଖାଯାଇଥିଲା। ଶୋରେ ପଡ଼ିଆ ଛାଡ଼ି ଚାଲିଯିବା ଲାଗି ଧମକ ଦେଇଥିଲେ। ଏହି କାରଣ ଯୋଗୁ ମ୍ୟାଚ କିଛି ସମୟ ଅଟକି ଥିଲା।

Share