ଗୀତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, ବଳାତ୍କାର ପରେ କରାଯାଇଛି ହତ୍ୟା

ସମ୍ବଲପୁର,୮ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଠେଲକୋଲି ଥାନା ବୁଧିଆପାଲି ଗ୍ରାମସ୍ଥ ଏକ ବୁଦା ନିକଟରୁ ଝାରସୁଗୁଡା ଜିଲା ପ୍ରତ୍ରାପାଲି ଗ୍ରାମର ଗୀତା ମୁଣ୍ଡା(୨୮)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୋମବାର ପୋଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ଗୀତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୁକ୍ତ ରାଜେଶ ମୁଣ୍ଡା(୨୦) ସ୍ବିକାର କରିଛନ୍ତି। ଏ ନେଇ ଖବରଦାତା ସମ୍ମିଳନୀରେ ସଦର ଏସ୍‌ଡିପିଓ ଭବାନୀ ଶଙ୍କର ଉଦଗାତା ସୂଚନା ଦେଇଛନ୍ତି। ରାଜେଶଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଏସ୍‌ଡିପିଓଙ୍କ ସୂଚନା ମୁତାବକ, ଉକ୍ତ ଗ୍ରାମର ଅଭିଯୁକ୍ତ ରାଜେଶ ଗୀତାଙ୍କୁ ଅମାନୁଷିକ ଭାବେ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ଏପରିକି ଗୀତା ତାଙ୍କୁ ଛାଡ଼ି ଦେବାକୁ କାକୁତିମିନତି କରୁଥିଲେ ହେଁ ସେ ତାଙ୍କର ତଣ୍ଟି ଚିପିଧରି ବଳାତ୍କାର କରିଥିଲେ। ଶେଷରେ ଗୀତା ଘଟଣାସ୍ଥଳରେ ଆଖି ବୁଜିଥିଲେ। ପରେ ରାଜେଶ ତାଙ୍କ ମୃତଦେହକୁ ଗଛର ଡାଳ ଓ ପତ୍ରରେ ଘୋଡ଼ାଇ ଫେରାର ହୋଇଯାଇଥିଲେ। ପ୍ରଥମେ ପୋଲିସ ପାଖରେ ହତ୍ୟାକାଣ୍ଡକୁ ନେଇ କୌଣସି ସୁରାକ ନ ଥିଲେ ମଧ୍ୟ ପରେ ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାହା ହତ୍ୟା ଘଟଣା ବୋଲି ପୋଲିସ ଜାଣିବାକୁ ପାଇଥିଲା। ଏସ୍‌ପି ସଞ୍ଜୀବ ଆରୋରାଙ୍କ ନିର୍ଦ୍ଦେଶକ୍ରମେ ଠେଲକୋଲି ଭାରପ୍ରାପ୍ତ ଥାନା ଅଧିକାରୀ ସୁରେଶ ସାହୁଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଜିଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ମଧ୍ୟ ସହଯୋଗ କରିଥିଲେ। ଶେଷରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି।

ସୂଚନାଯୋଗ୍ୟ, ଜୁନ ୨୮ତାରିଖ ଠେଳକୋଲି ଥାନା ବୁଧିଆପାଲି ନିକଟ ପଡ଼ିଆ ବୁଦାରୁ ଗୀତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏ ନେଇ ପୋଲିସ ନଂ-୧୦୬/୧୯ରେ ଏକ ମାମଲା ରୁଜୁ କରିଥିଲା । ପରେ ସ୍ବାମୀ ରାଜେଶଙ୍କ ଅଭିଯୋଗ କ୍ରମେ ହତ୍ୟା ମାମଲା ରୁଜୁ କରାଯାଇଥିଲା। ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ। ୧୦ ଦିନ ପରେ ପୋଲିସ ହତ୍ୟକାଣ୍ଡର ପର୍ଦ୍ଦାଫାଶ କରିଛି ।

Share