ମମତା ବାରିକ। ଓଡ଼ିଆ ଯାତ୍ରା ଜଗତର ଜଣେ ସ୍ବନାମଧନ୍ୟ ଗାୟିକା। କେବଳ ସେ ଗାୟିକା ନୁହନ୍ତି; ଜଣେ ଆଙ୍କର ଭାବରେ ମଧ୍ୟ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଜଗତ୍ସିଂହପୁରର ଶରତଚନ୍ଦ୍ର ଦାଶ ଓ ମଞ୍ଜୁବାଳା ଦାଶଙ୍କ କୋଳରେ ଜନ୍ମଗ୍ରହଣ କରିଥିବା ମମତା ପିଲାଟି ବେଳୁ ଗୀତ ଗାଉଥିଲେ। ସ୍କୁଲରେ ମଧ୍ୟ ଗୀତ ଗାଇ ସମସ୍ତଙ୍କ ମନକୁ କିଣି ନେଇପାରୁଥିଲେ। ତାଙ୍କର ଇଚ୍ଛାଥିଲା ସେ ଏକ ବଡ଼ଷ୍ଟେଜରେ ଗୀତ ଗାଆନ୍ତେ। ତାଙ୍କ ଗୀତକୁ ଅନେକ ଲୋକ ଶୁଣନ୍ତେ। ତେବେ ସୁଯୋଗ ମିଳୁ ନ ଥିଲା। ଘର ପାଖରେ ଦୁଇଜଣ ଯାତ୍ରା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ରହିଥିଲେ। ସେମାନେ ଗୁରୁ ବସନ୍ତ ନାୟକ ଏବଂ ଅଭିନେତା ଶ୍ରୀପତି ସ୍ବାଇଁ। ଏହି ଦୁଇଜଣ ହିଁ ମମତାଙ୍କ ଭିତରେ ଯାତ୍ରା ପ୍ରତି ମୋହ ସୃଷ୍ଟି କରିଥିଲେ। ସେତିକିନୁହେଁ, ତାଙ୍କର ଯାତ୍ରାକୁ ଆସିବାର ବନ୍ଦୋବସ୍ତ ମଧ୍ୟ କରିଦେଇଥିଲେ। ତେବେ ବାପାମା’ ରାଜି ନ ଥିଲେ ଝିଅ ଯାତ୍ରାକୁ ଯାଉ। ହେଲେ ମମତାଙ୍କର ଗୋଟିଏ ଜିଦ୍ ସେ ଯେମିତି ବି ହେଉ ଯାତ୍ରାକୁ ଯିବେ। ବାସ୍, ସେଇଆ ହେଲା। ସେ ବାପାମା’ଙ୍କ ବିନା ଅନୁମତିରେ ଚାଲିଆସିଲେ ବାଣେଶ୍ୱରୀ ଗଣନାଟ୍ୟକୁ। ପ୍ରଥମେ ଜଣେ ଗାୟିକା ଭାବରେ ଯୋଗଦେଲେ। ଗୀତ ଗାଇବାର ଅନୁଭୂତି ଥିଲା ମମତାଙ୍କର। ତେଣୁ ଷ୍ଟେଜରେ ଗୀତ ଗାଇବାରେ କୌଣସି ଅସୁବିଧା ହୋଇ ନ ଥିଲା। ଇତିମଧ୍ୟରେ ଯାତ୍ରା ଜଗତରେ ସେ କୋଡ଼ିଏ ବର୍ଷ ଅତିକ୍ରାନ୍ତ କରି ସାରିଲେଣି। ରୁକ୍ମିଣୀ ଗଣନାଟ୍ୟ, ତାରିଣୀ ଗଣନାଟ୍ୟ, ସାତଶଙ୍ଖ ଅପେରା, ତୁଳସୀ ଗଣନାଟ୍ୟ, ଶରଧାବାଲି, ତ୍ରିନାଥ ଗଣନାଟ୍ୟ, ସଚ୍ଚିଦାନନ୍ଦ, ଇନ୍ଦ୍ରଭୁବନ ଆଦି ଯାତ୍ରାନୁଷ୍ଠାନରେ କାମ କରି ଚଳିତବର୍ଷ ଅଛନ୍ତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ। ତାଙ୍କର ସ୍ବାମୀ ଦାମୋଦର ବାରିକ ମଧ୍ୟ ଯାତ୍ରାର ଜଣେ ପୋଖତ ତବଲିଷ୍ଟ। ସେତିକିନୁହେଁ, ଶ୍ୱଶୁର ଗତନାଥ ବାରିକ ମଧ୍ୟ ଜଣେ ତବଲିଷ୍ଟ ଥିଲେ। ଗୋଟେ କଳାକାର ପରିବାରର ବୋହୂ ହୋଇ ନିଜକୁ ଭାଗ୍ୟବତୀ ମଣୁଥିବା ମମତା କହନ୍ତି, ସ୍ବାମୀଙ୍କ ପ୍ରେରଣା ତଥା ବାପା, ମା’ ଓ ଶାଶୁଶ୍ୱଶୁରଙ୍କ ସ୍ନେହ ତାଙ୍କୁ ଆଗକୁ ଆଗେଇ ନେଉଛି। ଗୋଟିଏ ପୁଅକୁ ନେଇ ସୁଖର ସଂସାର ଗଢ଼ିଥିବା ମମତା ଅନେକ ନାଟକରେ କଣ୍ଠଦାନ କରିଛନ୍ତି। ସେଥିମଧ୍ୟରେ ରହିଛି ଅପାକୁ ସୁନ୍ଦର ରୁପା ପାଉଁଜି, ଗୁମୁରି କାନ୍ଦୁଛି ଲୋଟଣି ପାରା, ଝୁମୁକା ହଜିଲା ଝାଉଁ ବଣରେ, ନଈ ସେପାରି କନକ ଗୋରି, ସିନ୍ଦୂର ଖେଳୁଛି କଣ୍ଢେଇ ଖେଳ, ସୁନ୍ଦରୀ ଝିଅଙ୍କୁ ଦୂରୁ ଜୁହାର, ଗୁପ୍ତ ସମ୍ପର୍କ, ଭଲ ପାଇବାକୁ ଭୟ ଲାଗୁଛି, ଦୁନିଆ କହିବ କିଏ ମୋ ସ୍ବାମୀ, ବରଷା ରାତିର ସାଥୀ, ତମ କଥା ଭାରି ମନେପଡୁଛି ଏବଂ ଆହୁରି ଅନେକ।