ଗୀତ ମାଧ୍ୟମରେ କରୋନା ସଚେତନତା

କଟକ ଅଫିସ,୨୭ା୪: କରୋନା ମହାମାରୀ ପାଇଁ ସମଗ୍ର ବିଶ୍ୱ ଭୟଭୀତ। ଏପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ ଟିକା କିମ୍ବା ଔଷଧ ବାହାରି ନ ଥିବାରୁ ସ୍ବଚ୍ଛତା, ସାମାଜିକ ଦୂରତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ମଧ୍ୟ ବିଭିନ୍ନ ଉପାୟରେ ଲୋକଙ୍କୁ ସଚେତନ କରାଯାଉଛି। ଏବେ ଗୀତ ‘ପୁଣି ହସିବ ଓଡ଼ିଶା’ ମାଧ୍ୟମରେ ଜନସଚେତନତା ସୃଷ୍ଟି ଲାଗି ପ୍ରୟାସ କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ ଏବଂ ଅବିନାଶ ନନ୍ଦ। ଏହି ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବପିଢିଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ସମସ୍ତେ ଏହି ଗୀତକୁ ବେଶ୍‌ ପସନ୍ଦ କରୁଛନ୍ତି। ଏହି ଗୀତରେ ଗାଁ ଓ ସହରର ପାଣି ପବନ ଆଦିକୁ ଚିତ୍ରିତ କରାଯାଇଛି। ଗୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବାର୍ତ୍ତା ଦେଇଛନ୍ତି। ଗୀତିକାର ବସନ୍ତରାଜ ସାମଲ ଗୀତଟିକୁ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। କଣ୍ଠଦାନ କରିଛନ୍ତି ସବିଶେଷ, ଦୀପ୍ତିରେଖା ଓ ବିଶ୍ୱଜିତ। ଏହି ଗୀତର ଭିଡିଓରେ ଅଭିନେତ୍ରୀ ମହେଶ୍ୱତା ରାୟ, ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପ୍ରମୁଖ ଅଭିନୟ କରିଥିବାବେଳେ କ୍ରିଏଟିଭ ଡାଇରେକ୍ଟର ଭାବେ ଅବିନାଶ ନନ୍ଦ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ଗୀତ ଗୋଟିଏ ସପ୍ତାହ ମଧ୍ୟରେ ଟିକ୍‌ଟକ୍‌ରେ ଅଧିକ ଭାଇରାଲ ହୋଇଛି।

Share