‘ଗୁଜବ ପ୍ରଚାରକାରୀଙ୍କ ବିରୋଧରେ ପଦକ୍ଷେପ ନିଅ’, କରୋନା ପାଇଁ ଆଡ୍‌ଭାଇଜରି ଜାରି କଲେ ଡିଜିପି

କଟକ ଅଫିସ,୧୬।୩: କରୋନା ଭୂତାଣୁ ନେଇ ଏବେ ସୋସିଆଲ୍‌ ମିଡିଆରେ ଅନେକ ଗୁଜବ ପ୍ରଚାର କରାଯାଉଛି। ପ୍ରଚାରକାରୀଙ୍କୁ ଗିରଫ କରୁଛି ପୋଲିସ। ଏଣୁ ସର୍ବଦା ସୋସିଆଲ୍‌ ମିଡିଆ ଉପରେ ତୀକ୍ଷ୍ଣ ନଜର ରଖିବା ଓ ଗୁଜବ ପ୍ରଚାରକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନେବା ପାଇଁ ଡିଜିପି ଅଭୟ ବିଭିନ୍ନ ପୋଲିସ ଜିଲାର ଏସ୍‌ପି ଓ କମିଶନରେଟ୍‌ ପୋଲିସର ଡିସିପିଙ୍କୁ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି, ଓଡ଼ିଶା ସରକାର ଏହାକୁ ରାଜ୍ୟ ବିପତ୍ତି ଭାବେ ଘୋଷଣା କରିଛନ୍ତି। ଏଣୁ ବ୍ୟକ୍ତିଗତ ସ୍ତରରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଅନ୍ତୁ। ହାତକୁ ନିୟମିତ ସଫା କରିବା, ଅସୁସ୍ଥ ଅନୁଭବ କଲେ ଡାକ୍ତରଙ୍କ ପରାମର୍ଶ ନେବା, ସର୍ବସାଧାରଣରେ କାସିବାବେଳେ ମୁହଁକୁ ଢାଙ୍କିବା, ଭିଡଠାରୁ ଦୂରରେ ରହିବା, ଆଖି ନାକ ଓ ମୁହଁକୁ ନ ଛୁଇଁବା ଏବଂ ପୋଲିସ କାର୍ଯ୍ୟକ୍ରମଗୁଡ଼ିକ ଆୟୋଜନ ନ କରିବାକୁ ଉକ୍ତ ଆଡ୍‌ଭାଇଜରିରେ ଡିଜିପି ଉଲ୍ଲେଖ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗତ ୧୩ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବା, ଜନଗହଳି ଏବଂ ଭିଡ ଜାଗାରେ ସତର୍କ ରହିବାକୁ କୁହାଯାଇଛି। ବଡ଼ କାର୍ଯ୍ୟକ୍ରମ ଏବଂ ଅଧିକ ଭିଡ ସୃଷ୍ଟି ହେବାକୁ ଥିବା କାର୍ଯ୍ୟକ୍ରମଗୁଡିକର ଆୟୋଜନକୁ ଅନୁମତି ଦିଆଯିବ ନାହିଁ। ଓଡ଼ିଶା କୋଭିଡ-୧୯ ନିୟମାବଳୀ-୨୦୨୦ର ଅନୁପାଳନ ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ କରାଯାଉ, ମହାମାରୀ ଆଇନ-୧୮୯୭ ଏବଂ କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରସିଜ୍ୟୁଅର୍‌-୧୯୭୩ରେ ମିଳିଥିବା କ୍ଷମତା ଅନୁଯାୟୀ ଭିଡ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନେବାକୁ ଡିଜିପି ପରାମର୍ଶ ଦେଇଛନ୍ତି।

Share