ଗୁଜବ ବନ୍ଦହେଲେ କରୋନା ହାରିବ

ଜାତିସଂଘ,୧୫ା୬: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଏହି ଘାତକ ଭୂତାଣୁ ସମ୍ପର୍କିତ ଗୁଜବ ସ୍ଥିତିକୁ ଆହୁରି ସଙ୍ଗିନ କରିବାରେ ଲାଗିଛି। ଏହାର ମୁକାବିଲା କରି କେବଳ ତଥ୍ୟଭିତ୍ତିକ ଖବର ପ୍ରସାର ଲାଗି ୧୩୨ ରାଷ୍ଟ୍ର ଏକାଠି ହୋଇଛନ୍ତି। କୋଭିଡ୍‌-୧୯ ସମ୍ପର୍କିତ ‘ଇନ୍‌ଫୋଡେମିକ୍‌’ ବା ମହାମାରୀର ମିଛ ଖବର ପ୍ରସାରକୁ ରୋକିବା ପାଇଁ ଜାତିସଂଘରେ ଭାରତ ସମେତ ୧୩ ଦେଶ ନେତୃତ୍ୱ ନେଇଛନ୍ତି। ଅନ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ଅଷ୍ଟ୍ରେଲିଆ, ଚିଲି, ଫ୍ରାନ୍ସ, ଜର୍ଜିଆ, ଇଣ୍ଡୋନେସିଆ, ଲାଟ୍‌ଭିଆ, ଲେବାନନ, ମରିସସ୍‌, ମେକ୍ସିକୋ, ନରଓ୍ବେ, ସେନେଗାଲ ଓ ଦକ୍ଷିଣ ଆଫ୍ରିକା।
ଗତମାସରେ ଜାତିସଂଘ ପକ୍ଷରୁ ‘ଭେରିଫାଏଡ୍‌’ ଶୀର୍ଷକ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ଲୋକଙ୍କ ପାଖରେ ସତ୍ୟ ଓ ବିଶ୍ୱାସଯୋଗ୍ୟ ତଥ୍ୟ ପହଞ୍ଚାଇବା ହେଉଛି ଏହି ପଦକ୍ଷେପର ଉଦ୍ଦେଶ୍ୟ। ଏନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ବିଶ୍ୱ ଘାତକ କୋଭିଡ୍‌-୧୯ ସହିତ ଲଢ଼େଇ ଜାରି ରଖିଛି। ଏହାସହ ସ୍ବାସ୍ଥ୍ୟ ପାଇଁ ହାନିକାରକ ମିଥ୍ୟା ଖବର, ଘୃଣା ମନ୍ତବ୍ୟ ଓ ହିଂସ୍ର ଷଡ଼ଯନ୍ତ୍ର ଥିଓରିଗୁଡ଼ିକ ସହ ମଧ୍ୟ ଯୁଝୁଛି। ଏହି ଗୁଜବକୁ ପ୍ରତିହତ କରିବା ପାଇଁ ତଥ୍ୟଭିତ୍ତିକ ଖବର ଓ ବିଶ୍ଳେଷଣ ଆବଶ୍ୟକ। ସେହିପରି ଜାତିସଂଘରେ ଭାରତର ସ୍ଥାୟୀ ମିଶନ ପକ୍ଷରୁ କୁହାଯାଇଛି ଯେ, ଜାତିସଂଘ କମ୍ୟୁନିକେଶନ୍ସ ରେସ୍‌ପନ୍ସ ଇନିସିଏଟିଭ୍‌ ‘ଭେରିଫାଏଡ୍‌’କୁ ଆମେ ସମର୍ଥନ କରୁଛୁ। କରୋନା ବିରୋଧରେ ଲଢ଼େଇ କରିବାକୁ ହେଲେ ଇନ୍‌ଫୋଡେମିକ୍‌ ବିରୋଧରେ ବିଶ୍ୱସ୍ତରୀୟ କାର୍ଯ୍ୟାନୁଷ୍ଠାନ ଲୋଡ଼ା।
୧୩ ରାଷ୍ଟ୍ର ପକ୍ଷରୁ ମିଳିତ ଭାବେ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, କୋଭିଡ୍‌-୧୯ ସ୍ବାସ୍ଥ୍ୟ ସଙ୍କଟ ସମୟରେ ଇନ୍‌ଫୋଡେମିକ୍‌ର ବିସ୍ତାର ଲୋକଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ପାଇଁ କରୋନା ମହାମାରୀ ଭଳି ହାନିକାରକ। ଅନ୍ୟ ନକାରାମତ୍କ ପରିଣାମଗୁଡ଼ିକ ଭଳି ଏହି ଭାଇରସ୍‌ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି, ଯେଉଁଠି ଖୁବ୍‌ ସହଜରେ ମିଛ ଖବର ଓ ଜାଲ୍‌ ଭିଡିଓ ପ୍ରସାରିତ ହୋଇପାରୁଛି। ଏହା ବିଭିନ୍ନ ସମୁଦାୟ ମଧ୍ୟରେ ବିଭେଦ ସୃଷ୍ଟି କରି ହିଂସା ଉସୁକାଉଛି। ତେଣୁ ୧୩ ରାଷ୍ଟ୍ର ସହିତ ଅନ୍ୟ ଦେଶଗୁଡ଼ିକ ଓ ଡବ୍ଲ୍ୟୁଏଚ୍‌ଓ ଏବଂ ୟୁନେସ୍କୋ ଭଳି ଅନ୍ତର୍ଜାତୀୟ ସଂସ୍ଥା ଏହାକୁ ପ୍ରତିହତ କରିବା ପାଇଁ ଉଦ୍ୟମ କରୁଛନ୍ତି। ଫଳରେ ଉଭୟ ମିଛ ଖବର ଓ ମହାମାରୀ ବିରୋଧରେ ଲଢ଼େଇର ପ୍ରସ୍ତୁତିରେ ଉନ୍ନତି ଆସିଛି।

Share