Categories: ଜାତୀୟ

ଗୁଜରାଟରେ ଜନ୍ମିତ ଶିଶୁର ଜନ୍ମ ପ୍ରମାଣ ପତ୍ରରେ ରହିଛି ପାକିସ୍ତାନ ଠିକଣା

ଅହମ୍ମଦାବାଦ,୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଗୁଜରାଟରୁ ଆସିଥିବା ଏକ ଖବର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅହମ୍ମଦାବାଦ ମ୍ୟୁନିସପାଲିଟି କର୍ପୋରେଶନର ବଟଓ୍ବା ଅଞ୍ଚଳରେ ଜନ୍ମ ନେଇଥିବା ଜଣେ ୧୮ ମାସ ଶିଶୁର ଜନ୍ମ ପ୍ରମାଣ ପତ୍ରର ଠିକଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ପ୍ରମାଣ ପତ୍ରରେ ଲ୍ୟାଣ୍ଡମାର୍କ ସ୍ଥାନରେ ଲେଖାଯାଇଛି, ‘ପାକିସ୍ତାନ ଲେବଲ କ୍ରସିଂ’। ସୂଚନାଯୋଗ୍ୟ, ପ୍ରମାଣ ପତ୍ରରେ ଯେଉଁ କ୍ରସିଂ କଥା ଉଲ୍ଲେଖ କରାଯାଇଛି ତାକୁ ସ୍ଥାନୀୟ ଲୋକେ ଅନୌପଚାରିକ ଭାବେ ‘ପାକିସ୍ତାନ କ୍ରସିଂ’ ବୋଲି କହିଥାଆନ୍ତି। ଏହି କ୍ରସିଂ ୨,୨୦୦ ମୁସଲମାନ ପରିବାର ରହୁଥିବା ‘ଛୋଟ ପାକିସ୍ତାନ’ ନିକଟରେ ଅବସ୍ଥିତ। ହେଲେ ଏହା କାଗଜ ପତ୍ର ଅନୁଯାୟୀ, ‘ବସନ୍ତ ଗଜେନ୍ଦ୍ରଗଡ ନଗର ଇଡବ୍ଲୁଏସ୍‌ ହାଉସିଂ’ଭାବେ ପରିଚିତ। ସୂଚନାଯୋଗ୍ୟ, ଅରବାଜ ଖାଁ ପଠାନ ଓ ମହକବାନୁ ପଠାନଙ୍କ ୧୮ ମାସର ଶିଶୁ ମହମ୍ମଦ ଉଜେର ଖାଁଙ୍କ ଜନ୍ମ ଅକ୍ଟୋବର ୧, ୨୦୧୮ରେ ହୋଇଥିଲା। ଏମାନେ ବଟଓ୍ବା ଲେବଲ କ୍ରସିଂ ନିକଟରେ ଥିବା ଏକ ୪ ମହଲା ଘରେ ରହୁଛନ୍ତି। ଶିଶୁଟିର ଜେଜେମା’ ଗତ ୩ ତାରିଖରେ ଶିଶୁର ଜନ୍ମ ପ୍ରମାଣ ପତ୍ର ଆଣିଥିଲେ। ପରିବାର ଲୋକେ ଏହାକୁ ଭଲଭାବେ ପଢିବା ପରେ ଏହାର ଲ୍ୟାଣ୍ଡମାର୍କ ସ୍ଥାନରେ ପାକିସ୍ତାନ ଲେଖାଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାକୁ ନେଇ ଅଭିଯୋଗ କରିବା ପରେ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଠିକ୍‌ କରିଦିଆଯିବ ବୋଲି କୁହାଯାଇଥିବା ସୂଚନା ମିଳିଛି।

Share