Categories: ଜାତୀୟ

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା

ଅହମ୍ମଦାବାଦ୍‌,୧୯।୮: ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ଭାରୁଚରେ ଦଳର ୭ ନେତା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଭାରୁଚ ସିଟି କଂଗ୍ରେସ ସଭାପତି ବିକି ସୋଖୀ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ନିକୁଲ ମିସ୍ତ୍ରୀ, ଭାରୁଚ ନଗର ଉପାଧ୍ୟକ୍ଷ କିରଣ ଚୌହାନ, କୋଷାଧ୍ୟକ୍ଷ କିରଣ ପରମାର, ଜିଲା ଯୁବ କଂଗ୍ରେସ ନେତା ରାଧେ ପଟେଲ ଏବଂ ଦଳର କର୍ମକର୍ତ୍ତା କିଶୋର ସିଂ ଏବଂ ରାକେଶ ଗୋହିଲ ଅଛନ୍ତି। ଏହି ପଦକ୍ଷେପ ପାଇଁ ସେ ଗୁଜରାଟ କଂଗ୍ରେସ ସଭାପତି ଜଗଦୀଶ ଠାକୁରଙ୍କୁ ଦାୟୀ କରିଛନ୍ତି।
ବିକି ସୋଖୀ କହିଛନ୍ତି, ଆମେ ଗତ ୨୫ ବର୍ଷ ଧରି କଂଗ୍ରେସ ସହିତ ଥିଲୁ ଏବଂ ସମସ୍ତେ ଗୁରୁତର ପରିସ୍ଥିତିରେ ଦଳ ସହ ଜଡିତ ଥିଲେ। ଗତ ବର୍ଷର ତାଲୁକା ପଞ୍ଚାୟତ ଏବଂ ଜିଲା ପଞ୍ଚାୟତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବା ଭାରୁଚର କିଛି କଂଗ୍ରେସ ନେତାଙ୍କ ତାଲିକା ଆମେ ପଠାଇଥିଲୁ। ତେବେ ଜଗଦୀଶ ଠାକୁର ଏନେଇ କୌଣସି ପଦକ୍ଷେପ ନେଇ ନ ଥିଲେ। ଏନେଇ ଆମେ ସଭାପତିଙ୍କୁ ପ୍ରଶ୍ନ ମଧ୍ୟ କରିଥିଲୁ। ଏହାର ଜବାବରେ ସେ କହିଥିଲେ, ଯେଉଁମାନେ ଦଳରେ ରହିବାକୁ ଚାହୁଁଛନ୍ତି ସେମାନେ ରହିପାରିବେ ଏବଂ ଯେଉଁମାନେ ଯିବାକୁ ଚାହାଁନ୍ତି ସେମାନେ ଯାଇପାରିବେ। ଆମେ ଏହି ପ୍ରକାରର ଉତ୍ତର ଆଶା କରି ନ ଥିଲୁ ତେଣୁ ଆଜି ଦଳ ଛାଡିଛୁ।

Share