ଗୁଞ୍ଜନ ଡ୍ୟାନ୍ସ ଏକାଡେମୀର ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଘାଟିତ: ଜଗନ୍ନାଥ ମଙ୍ଗଳମ୍‌ରେ ମୁଗ୍ଧ ହେଲେ ଦର୍ଶକ

କଟକ ଅଫିସ,୨୩ା୧୧: ମଞ୍ଚରେ ହେଲା ପହଣ୍ଡି ବିଜେ ଆଉ ରଥଟଣା। ବାଜିଲା ‘ଚତର୍ଭୁଜ ଜଗନ୍ନାଥ କଣ୍ଠ ଶୋଭିତ କୌସ୍ତୁଭ’ ଗୀତ। ଜଗନ୍ନାଥ ମଙ୍ଗଳମ୍‌ ନୃତ୍ୟରେ ସୃଷ୍ଟି ହେଲା ଅପୂର୍ବ ପରିବେଶ। ଗୀତରେ ପ୍ରତି ପଦରେ ଓ ସଙ୍ଗୀତର ତାଳେତାଳେ ଜଗନ୍ନାଥ ସଂସ୍କୃତିକୁ ଉପସ୍ଥାପନ କରାଯାଇଥିଲା। ପ୍ରତିଷ୍ଠିତ ନୃତ୍ୟ ଗ୍ରୁପ୍‌ ‘ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ’ର ୨୩ତମ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଶହୀଦ ଭବନରେ ଉଦ୍‌ଘାଟିତ ହୋଇଯାଇଛି। ଏକାଡେମୀର ମୁଖ୍ୟ ତଥା ଗୁରୁ ମୀରା ଦାସଙ୍କ ନିର୍ଦ୍ଦେଶନାରେ ଉଦ୍‌ଘାଟନୀ ସନ୍ଧ୍ୟାରେ ପରିବେଷିତ ଏହି ‘ଜଗନ୍ନାଥ ମଙ୍ଗଳମ୍‌’ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଥିଲା।
ନୃତ୍ୟଶିଳ୍ପୀ ମୁନମୁନ ସିଂ, ସଞ୍ଜିତ ଜେନା, ସ୍ବର୍ଣ୍ଣମୟୀ ବେହେରା, ସ୍ବୀକୃତି ଦାସ ଓ ଭାଗଶ୍ରୀ ଆଇଚ୍‌ ଜଗନ୍ନାଥ ମଙ୍ଗଳମ୍‌ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। ଏହି ନୃତ୍ୟ ପରେ ତାଳ, ଲୟ ଓ ଭଙ୍ଗୀର ମିଶ୍ରଣକୁ ନେଇ ପ୍ରଦର୍ଶିତ କରାଯାଇଥିଲା ବଟୁ ନୃତ୍ୟ। ନୃତ୍ୟଶିଳ୍ପୀ ପ୍ରିୟଙ୍କା ଜେନା ଓଡ଼ିଶୀ ଅଭିନୟ ପ୍ରଦର୍ଶନ କରିଥିଲେ। ବୈଦେହୀଶ ବିଳାସ ମହାକାବ୍ୟର ‘ବିଭୂଷଣ ପୁଷ୍ପେ’ ପଂକ୍ତିରେ ପ୍ରିୟଙ୍କା ସୀତା ବିବାହର କଥାକୁ ଦର୍ଶକଙ୍କ ସମ୍ମୁଖରେ ଉଦ୍‌ଭାସିତ କରିଥିଲେ। ଏକାଡେମୀର କଳାକାରମାନେ ପଲ୍ଲବୀ ଶଙ୍କରା ଭରଣ ଓ କ୍ରିଷ୍ଣା କଥାମୃତ ନୃତ୍ୟ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଏହି ସନ୍ଧ୍ୟାରେ ବିଶେଷ ଆକର୍ଷଣ ଥିଲେ ଉସ୍ତାଦ ବିସମିଲ୍ଲା ଖଁା ଯୁବ ପୁରସ୍କାର ପ୍ରାପ୍ତ ନୃତ୍ୟଶିଳ୍ପୀ ସୋନାଲି ମହାପାତ୍ର। ଗୀତ ଗୋବିନ୍ଦର ଅଷ୍ଟପଦୀରେ ରାଧାକୃଷ୍ଣର ଭାବାବେଗକୁ ସୋନାଲି ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ପଣ୍ଡିତ ଏ.ମହେଶ୍ୱର ରାଓ ଅତିଥିଭାବେ ଯୋଗଦେଇ ଏକାଡେମୀର ଉଦ୍ୟମକୁ ପ୍ରଶଂସା କରିଥିଲେ। ‘କଟକ’ ‘କ’ରୁ ଆରମ୍ଭ ଓ ‘କ’ରେ ଶେଷ। ଏହା କଳାରୁ ଆରମ୍ଭ ଓ କଳାରେ ଶେଷ ବୋଲି ପଣ୍ଡିତ ରାଓ କହିଥିଲେ। ଜିଲାପାଳ ଭବାନୀ ଶଙ୍କର ଚୟନୀ ଅତିଥିଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ନିଜ ବକ୍ତବ୍ୟରେ ନଭେମ୍ବର ମାସ ଆସିଲେ କଟକବାସୀଙ୍କର ଏହି ଉତ୍ସବ କଥା ମନେପଡ଼େ ବୋଲି ମତବ୍ୟକ୍ତ କରିଥିଲେ। ଦିଲୀପ ମହାନ୍ତି, କିଶୋର ମହାନ୍ତି ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ। ଗୁରୁ ମୀରା ଦାସ ନିଜ ଅଭିଭାଷଣରେ ଓଡ଼ିଶୀକୁ ଭଲପାଇବାକୁ ବାର୍ତ୍ତା ଦେଇଥିଲେ। ଗାୟତ୍ରୀ ଦାସ ଧନ୍ୟବାଦ ଦେଇଥିଲେ। ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିଲେ। ଧରିତ୍ରୀ ଏହି କାର୍ଯ୍ୟକ୍ରମର ମିଡିଆ ପାର୍ଟନର ରହିଛି।

Share