ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ‘ଗୁଞ୍ଜନ ସକ୍ସେନା-ଦି କାର୍ଗିଲ ଗର୍ଲ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। କାର୍ଗିଲ ଯୁଦ୍ଧରେ ସାମିଲ ହୋଇଥିବା ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଫିସରଙ୍କ ଜୀବନୀକୁ ଭିତ୍ତିକରି ଫିଲ୍ମ ନିର୍ମାଣ ହୋଇଥିବା ନିର୍ମାତା ଘୋଷଣା କରିଛନ୍ତି। ଫ୍ଲାଇଙ୍ଗ୍ ଅଫିସର ଗୁଞ୍ଜନ ସକ୍ସେନା ହେଉଛନ୍ତି ପ୍ରଥମ ମହିଳା ଯିଏ ୨୦ବର୍ଷ ତଳେ କାର୍ଗିଲ ଯୁଦ୍ଧ ବେଳେ ଓ୍ବାର ଜୋନ୍କୁ ବିମାନ ଉଡାଣ କରିଥିଲେ। ଜି ଷ୍ଟୁଡିଓଜ୍ ଏବଂ ଧର୍ମ ପ୍ରଡକ୍ସନ୍ସର ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ଏହି ଫିଲ୍ମ ୨୦୨୦ ମାର୍ଚ୍ଚ ୧୩ରେ ରିଲିଜ ହେବାର ଅଛି। ପ୍ରଯୋଜକ କରନ୍ ଜୋହର ଏ ସମ୍ପର୍କରେ ଟୁଇଟ୍ କରିବା ସହିତ ଫିଲ୍ମ ସମ୍ପର୍କିତ ଦୁଇଟି ପୋଷ୍ଟର ଶେୟାର କରିଛନ୍ତି। ସକ୍ସେନା ଜଣେ ମହିଳା ହୋଇ ମଧ୍ୟ କାର୍ଗିଲ୍ ଯୁଦ୍ଧଭୂମିରେ ଯେପରି ସାହସ ଓ ପରାକ୍ରମ ଦେଖାଇଛନ୍ତି ତାହା ଏକ ବିରଳ ଦୃଷ୍ଟାନ୍ତ ବୋଲି ପ୍ରଯୋଜକ କହିଛନ୍ତି।
ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶରନ୍ ଶର୍ମା। ନିଖିଲ ମେହରୋତ୍ରା ଫିଲ୍ମର କାହାଣୀ ଲେଖିଥିବାବେଳେ ହୁସେନ ଦଲାଲ୍ ଅତିରିକ୍ତ ସଂଳାପ ଲେଖକ ଭାବେ ଶ୍ରେୟ ନିଅନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏଥିରେ ପଙ୍କଜ ତ୍ରିପାଠୀ, ବିନୀତ୍ ସିଂ, ଅଙ୍ଗଦ ବେଦୀ ଏବଂ ମାନବ ଭିଜ୍ ପ୍ରମୁଖ ଅଭିନୟ କରିଛନ୍ତି।