ଗୁଟ୍‌ଖା କାରଖାନାରେ ଚଢ଼ାଉ: ୩ ଗିରଫ, ମାଲିକ ଫେରାର

ବ୍ରହ୍ମପୁର ଅଫିସ,୭୮-ସଦର ଥାନା ପୋଲିସ ସୋମବାର ରାତିରେ ଭୈରବନଗରରେ ବେଆଇନ ଭାବେ ଚାଲିଥିବା ଏକ ଗୁଟ୍‌ଖା କାରଖାନାରେ ଚଢାଉ କରିଥିଲା। ସେଠାରୁ ବହୁ ପରିମାଣର ଗୁଟ୍‌ଖା ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ବ୍ରଜନଗର ୩ୟ ସାରଣୀରେ ରହୁଥିବା ଶରତ ଚନ୍ଦ୍ର ବିଷୋୟୀ, ପାଟପୁର ଥାନା ଧୋବାଡ଼ି ଗ୍ରାମର କାଶୀନାଥ ବେହେରା ଓ ଉତ୍ତରପ୍ରଦେଶ କାନପୁର ଜିଲା ଗୌତମପୁରର ଦିବ୍ୟଅଂଶୁ କୁମାର ବର୍ମା । କାରଖାନା ମାଲିକ ଫେରାର ଥିବା ଥାନାଧିକାରୀ ଭାବନାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ଏ ନେଇ ମାମଲା ନଂ.୧୯୬/୧୯ ରୁଜୁ ହେବା ସହ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଗୋବିନ୍ଦବିହାର ନିକଟ ଭୈରବନଗରରେ ଗୁଟୁଖା କାରଖାନା ଚାଲିଥିବା ପୋଲିସ ଖବର ପାଇଥିଲା। ସୋମବାର ରାତି ପ୍ରାୟ ୯ଟାରେ ପୋଲିସ ସେଠାରେ ଚଢାଉ କରି ୩୫ ବସ୍ତା ହରିଡାଖଣ୍ଡି, ଗୋକୁଳ ଡିଲକ୍ସ ଜର୍‌ଦା ଗୁଟ୍‌ଖା, ୨ଟି ପ୍ୟାକିଂ ମେଶିନ, ବିଭନ୍ନ ବ୍ରାଣ୍ଡର ପ୍ଲାଷ୍ଟିକ ଜରି ଜବତ କରିଥିଲା। ସେଠାରୁ ୩ ଜଣଙ୍କୁ କାବୁ କରାଯାଇଥିଲା। ସୂଚନାଯୋଗ୍ୟ, ରବିବାର ସଦର ଥାନା ପୋଲିସ ଭୁତପଲ୍ଲୀ, ବୋରିଗାଁ ଓ କାଳୁପାତ୍ର ସାହିରେ ଚଢାଉ କରି କୋଟିଏ ଟଙ୍କାର ଗୁଟ୍‌ଖା ଜବତ କରିବା ସହ ପୃଥକ ସ୍ଥାନରୁ ୩ ଜଣଙ୍କୁ ଗିରଫ କରିଥିଲା। ସଦର ଥାନା ଇଲାକାରେ ଏବେ ବି ଅନେକ ଗୁଟ୍‌ଖା ବ୍ୟବସାୟୀ କାରବାର ଚଳାଇଥିବା ସାଧାରଣରେ ଅଭିଯୋଗ ହେଉଛି।