ଗୁଡିପଦା ଅଞ୍ଚଳରେ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଆଣି ତଦନ୍ତ କଲା ପୋଲିସ

ବାଲେଶ୍ୱର ଅଫିସ, ୨୦।୧୨-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଗୁଡ଼ିପଦା ଅଞ୍ଚଳରେ ରହୁଥିବା ବଢ଼ା ମାରାଣ୍ଡି (୪୮)ଙ୍କୁ ତାଙ୍କ ରକ୍ଷିତା ସୀତା ହେମ୍ବ୍ରମ (୪୩) ବୁଧବାର ଭୋର୍‌ ସମୟରେ କଟୁରୀରେ ହାଣି ହତ୍ୟା କରିବା ପରେ ବାରିପଦା ସଦର ଥାନାରେ ଆମତ୍ସମର୍ପଣ କରିଥିଲେ। ବଢାଙ୍କ ଘର ମୟୂରଭଞ୍ଜ ଜିଲା ସିରିସବଣି ଗ୍ରାମରେ। ପୋଲିସ ସୀତାଙ୍କୁ ବାରିପଦାରୁ ଆଣି ଗୁରୁବାର ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିଲା। ଏହାପରେ ଅପରାହ୍ନ ୨ଟା ବେଳେ ସୀତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଥାନାଧିକାରୀ ପରେଶ ରାଉତ ପ୍ରକାଶ କରିଛନ୍ତି।
ସୀତାଙ୍କ କହିବାନୁଯାୟୀ, ବଢ଼ା ମାରାଣ୍ଡି ଭାରତୀୟ ଖାଦ୍ୟ ନିଗମ ବାଲେଶ୍ୱର ଶାଖା ଅଫିସ୍‌ରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘ ୨୫ବର୍ଷ ଧରି ତାଙ୍କ ସହ ବାଲେଶ୍ୱର ଅଞ୍ଚଳର ଭଡ଼ା ଘରେ ରହି ଆସୁଥିଲେ। ବଢ଼ା ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସ୍ତ୍ରୀର ମାନ୍ୟତା ଦେଉ ନ ଥିଲେ। ଏହାକୁ ନେଇ ବାରମ୍ବାର ଉଭୟଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହୁଥିଲା। ପୂର୍ବରୁ ସେ ତାଙ୍କର ସମସ୍ତ ଭରଣପୋଷଣ ଦାୟିତ୍ୱ ବୁଝୁଥିଲେ। କିନ୍ତୁ ଗତ ୨ ବର୍ଷ ଧରି ସେ କିଛି ବି ବୁଝୁ ନ ଥିଲେ। ଗତ ମଙ୍ଗଳବାର ରାତିରେ ଖାଇ ସାରିବା ପରେ ଏହି ଘଟଣାକୁ ନେଇ ରାତି ୨ଟା ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବଢ଼ା ସହମତି ପ୍ରକାଶ ନ କରି ଶୋଇ ପଡ଼ିବାରୁ ସୀତା ବିରକ୍ତ ହୋଇ ବୁଧବାର ଭୋର୍‌ ସମୟରେ ଏକ ଧାରୁଆ କଟୁରୀରେ ତାଙ୍କ ବେକ ଓ ମୁଣ୍ଡରେ ଆଘାତ କରି ହତ୍ୟା କରିଥିଲେ। ଏହାପରେ ସେ ବାରିପଦା ସଦର ଥାନାରେ ଆମତ୍ସମର୍ପଣ କରିଥିଲେ। ଏ ନେଇ ଥାନାଧିକାରୀ ପରେଶ ରାଉତ କହିଛନ୍ତି, ହତ୍ୟା ଘଟଣା ନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ମାମଲା (ନଂ. ୩୯୧/୧୯) ରୁଜୁ କରାଯାଇ ବାରିପଦା ସଦର ଥାନାରେ ଆମତ୍ସମର୍ପଣ କରିଥିବା ସୀତାଙ୍କୁ ଗିରଫ କରାଯାଇ ବାଲେଶ୍ୱର ଅଣାଯାଇଛି। ହତ୍ୟାକାରୀଙ୍କୁ ଘଟଣାସ୍ଥଳକୁ ନିଆଯାଇ ତଦନ୍ତ କରାଯିବା ପରେ କୋର୍ଟଚାଲାଣ କରାଯାଇଛି।