‘ଗୁଡ୍‌ ନ୍ୟୁଜ୍‌’ ସହ ଅକ୍ଷୟ କରିପାରନ୍ତି ରେକର୍ଡ

ମୁମ୍ବାଇ: ଶ୍ୱଶୁର ରାଜେଶ୍‌ ଖାନ୍ନାଙ୍କ ରେକର୍ଡ ଭାଙ୍ଗିବେକି ଅକ୍ଷୟ! ସମସ୍ତଙ୍କ ନଜର ଏବେ ଅକ୍ଷୟଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ଉପରେ। ଆପଣ ଟିକେ କନ୍‌ଫ୍ୟୁଜ୍‌ ହେଉଛନ୍ତି କି? ତା’ହେଲେ ଆମେ ଆପଣଙ୍କ କନ୍‌ଫ୍ୟୁଜନ୍‌ ଏବେ ଦୂର କରିଦେଉଛୁ। ଫ୍ରାଇଡେ ବକ୍ସରେ ରିଲିଜ୍‌ ହୋଇଯାଇଛି ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’। ଏହା ହେଉଛି ୨୦୧୯ରେ ଅକ୍ଷୟଙ୍କ ଚତୁର୍ଥ ଫିଲ୍ମ। ପୂର୍ବରୁ ଫିଲ୍ମ ‘କେସରୀ’, ‘ମିଶନ୍‌ ମଙ୍ଗଲ୍‌’ ଏବଂ ‘ହାଉସ୍‌ଫୁଲ୍‌-୪’ ରିଲିଜ୍‌ ହେବା ସହ ବକ୍ସ ଅଫିସରେ ହିଟ୍‌ ମଧ୍ୟ ହୋଇଥିଲା। ଏବେ ଯଦି ‘ଗୁଡ୍‌ ନ୍ୟୁଜ୍‌’ ମଧ୍ୟ ହିଟ୍‌ ହୋଇଯାଏ ତା’ହେଲେ ଅକ୍ଷୟ ନିଜ ଶ୍ୱଶୁର ତଥା ବଲିଉଡ୍‌ ସୁପର୍‌ଷ୍ଟାର ଦିବଂଗତ ରାଜେଶ୍‌ ଖାନ୍ନାଙ୍କ ଏକ ଅନ୍‌ବ୍ରେକେବଲ୍‌ ରେକର୍ଡ ଭାଙ୍ଗିପାରନ୍ତି।
ଏହି ରେକର୍ଡ ହେଲା ବ୍ୟାକ୍‌-ଟୁ-ବ୍ୟାକ୍‌ ୧୫ ହିଟ୍‌ ଫିଲ୍ମ ଦେବା। ହଁ, ଆପଣ ଠିକ୍‌ ଅନୁମାନ କରୁଛନ୍ତି। ହିନ୍ଦୀ ସିନେମାର ଏହା ଏଭଳି ଏକ ରେକର୍ଡ, ଯାହାକୁ ଆଜି ଯାଏଁ କେହି ଭାଙ୍ଗି ପାରିନାହାନ୍ତି। ଏପରି କି, ଖୋଦ୍‌ ବଲିଉଡ୍‌ ମହାନାୟକ ଅମିତାଭ୍‌ ବଚ୍ଚନ ମଧ୍ୟ ଏହି ରେକର୍ଡ ବ୍ରେକ୍‌ କରିପାରି ନ ଥିବା କୁହାଯାଉଛି। ହେଲେ ‘ଗୁଡ୍‌ ନ୍ୟୁଜ୍‌’ ଯଦି ହିଟ୍‌ ହୋଇଯାଏ, ତେବେ ରାଜେଶ ଖାନ୍ନାଙ୍କ ଜ୍ୱାଇଁ ଅକ୍ଷୟ କୁମାର ନିଶ୍ଚୟ ଏହି ରେକର୍ଡ ବ୍ରେକ୍‌ କରିବା ଦିଗରେ ଆଉ ପାଦେ ଆଗେଇ ଯିବେ।
ଏଯାଏ ବ୍ୟାକ୍‌-ଟୁ-ବ୍ୟାକ୍‌ ୧୧ ହିଟ୍‌ ଫିଲ୍ମ ଦେଇସାରିଥିବା ଅକ୍ଷୟଙ୍କ ୪ଟି ଫିଲ୍ମ ହିଟ୍‌ ହୋଇଗଲେ ସେ ଏହି ରେକର୍ଡ ବ୍ରେକ୍‌ କରିପାରିବେ। ୨୦୨୦ରେ ତାଙ୍କ ‘ସୂର୍ୟବଂଶୀ’, ‘ଲକ୍ଷ୍ମୀ ବମ୍ବ’ , ‘ପୃଥ୍ବୀରାଜ୍‌’ ଏବଂ ‘ବଚ୍ଚନ ପାଣ୍ଡେ’ ରିଲିଜ୍‌ ହେବ। ଅକ୍ଷୟଙ୍କ ରିଲିଜ୍‌ ହୋଇଥିବା ୧୧ ଗତ ୩ବର୍ଷ ମଧ୍ୟରେ ଫିଲ୍ମ ବକ୍ସ ଅଫିସ୍‌ରେ ପାଖାପାଖି ୧୫୫୦ କୋଟି ନଗଦ ଟଙ୍କାର ବ୍ୟବସାୟ କରିସାରିଛି। ଏହି କ୍ରମରେ ‘ଗୁଡ୍‌ ନ୍ୟୁଜ୍‌’କୁ ନେଇ ମଧ୍ୟ ଖୁବ୍‌ ଆଶା ରହିଛି। ଫିଲ୍ମଟି ବକ୍ସ ଅଫିସ୍‌ରେ ସଫଳ ହେଲେ, ଅକ୍ଷୟଙ୍କ ଏହି ରେକର୍ଡ ବଜାୟ ରହିବ। ତେବେ ଫିଲ୍ମରେ ଅକ୍ଷୟଙ୍କ ସହ କରୀନା କପୁର ଖାନ୍‌, ଦିଲ୍‌ଜିତ ଦୋସାଞ୍ଝ ଏବଂ କିୟାରା ଆଡ୍‌ଭାନୀମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Share