ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କପ୍ତିପଦା,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ ପଞ୍ଚାୟତ ସୀତାରାମସାହିରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର କପ୍ତିପଦା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମହୁଲପଙ୍ଖା ଗ୍ରାମର ଦିବାକର ସିଂ। ତାଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଛି। ଦିବାକରଙ୍କ ସହଯୋଗୀ ଲାଗ ଓରଫ୍‌ ଚମ୍ପାଏ ହୋକୁ ବୁଧବାର ପୋଲିସ୍‌ ଗିରଫ କରି କୋର୍ଟଚାଲାଣ କରିଥିଲା। ଜିଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ୍‌ ପୁରୁଷୋତ୍ତମଦାସ କପ୍ତିପଦା ଥାନାକୁ ଆସି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ୬ ତାରିଖ ସନ୍ଧ୍ୟାରେ ସୀତାରାମ ସିଂ ଓ ତାଙ୍କ ସ୍ତ୍ରୀ ଲେତ ଛତ୍ରାମ୍ବଠାରେ ଫୁଟ୍‌ବଲ୍‌ ଖେଳ ଦେଖି ଫେରୁଥିବା ବେଳେ ଅଭିଯୁକ୍ତ ଦିବାକର ଓ ଲାଗ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ଟାଣିନେଇ କଟୁରୀରେ ହାଣି ହତ୍ୟା କରିଥିଲେ। ପରେ ମୃତଦେହକୁ ଡଙ୍ଗାରେ ନେଇ ନିକଟସ୍ଥ ସୁନେଇ ଡ୍ୟାମର ଗଭୀର ଜଳରେ ଫିଙ୍ଗି ଦେଇ ଆସିଥିଲେ। ଉପଖଣ୍ଡ ପୋଲିସ୍‌ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର ଓ କପ୍ତିପଦା ଥାନା ଆଇଆଇସି ରୀନା ବେହେରା ତଦନ୍ତ କରି ଅଭିଯୁକ୍ତ ଦିବାକରଙ୍କୁ ଶାଳଚୁଆ ପଞ୍ଚାୟତର ବିଦ୍ୟାଧରନଗରରୁ ଗିରଫ କରିଛନ୍ତି ।