ଗୁଣିଗାରେଡ଼ି ସନ୍ଦେହରେ ବାପଝିଅଙ୍କୁ ଆକ୍ରମଣ: ଗଛରେ ବାନ୍ଧି ଗୋବରପାଣି ପିଆଇଲେ

ସଜନାଗଡ଼, ୧୫।୬(ଡି.ଏନ.ଏ.)-ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଏବେବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବସା ବାନ୍ଧି ରହିଛି। ଏହାକୁ ପାଥେୟ କରି ସମାଜରେ ବିଭିନ୍ନ ଅଭାବନୀୟ ଘଟଣା ଘଟୁଥିବା ନଜରକୁ ଆସୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଏନଏସି ଅଧିନ କାହାଳିଆର ପୋଖରୀସାହି ଗ୍ରାମରେ। ଗୁଣିଗାରେଡି ସନ୍ଦେହରେ ନୀରିହ ବାପ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଗଛରେ ବାନ୍ଧି ଗୋବରପାଣି ପିଆଇବା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।
ଉକ୍ତ ଗ୍ରାମରେ ପର୍ଶୁରାମ ବାରିକ (୮୦) ଏବଂ ତାଙ୍କ ଝିଅ ପୁଷ୍ପାଞ୍ଜଳି ରୁହନ୍ତି। ସୋମବାର ମଧ୍ୟାହ୍ନ ସମୟରେ ୮ଜଣ ମହିଳା ପୁରୁଷ ତାଙ୍କ ଘରେ ପଶିଥିଲେ। ଘରେ ଠାକୁରାଣୀ ପୂଜା କରୁଥିବାରୁ ତାଙ୍କ ବୋହୂଙ୍କୁ ଜ୍ୱର ହେଉଥିବା କହି ଲୋକେ ପ୍ରଥମେ ପର୍ଶୁରାମଙ୍କୁ ଆକ୍ରମଣ କରିଥିଲେ। ଏହାକୁ ତାଙ୍କ ଝିଅ ବିରୋଧ କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଲୋକେ ବାପଝିଅଙ୍କୁ ମାରପିଟ୍‌ କରିବା ପରେ ଏକ ଗଛରେ ବାନ୍ଧି ପକାଇଥିଲେ। ସେମାନଙ୍କୁ ଗୋବରପାଣି ପିଆଇବାକୁ ଉଦ୍ୟମ କରି ଗ୍ରାମରେ ରଖାଇ ଦେବେ ନାହଁି ବୋଲି ବିଭିନ୍ନ ଧମକଚମକ ଦେଇଥିଲେ। ସେମାନେ ଚାଲିଯିବା ପରେ ପର୍ଶୁରାମ ଝିଅ ସହ ଆସି ନୀଳଗିରି ଥାନାକୁ ଆସି ୮ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି।