ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶିଶୁ ଗୁରୁତର

ବଣାଇଁ,୧୬।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ବୁଧବାର ରାତିରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସ ଭାବେ ହତ୍ୟା କରାଯାଇଛି। ମୃତ ମହିଳା ହେଲେ ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଲି ଗ୍ରାମର ବାନ୍ଦନି ଓରାମ (୫୨)। ସେହିଭଳି ଆକ୍ରମଣରେ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରପକ୍ଷେ ଅଭିଯୁକ୍ତ ରତିକାନ୍ତ ଓରାମ (୩୫) ଫେରାର ହୋଇଯାଇଛନ୍ତି। ବଣାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ସୂଚନାନୁଯାୟୀ, ବାନ୍ଦନି ତାଙ୍କ ଜ୍ୱାଇଁ ବଣାଇ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମର ଦଶରଥ ଓରାମଙ୍କ ଘରକୁ ବୁଧବାର ସପରିବାର ଆସିଥିଲେ। ରାତି ୮ ସମୟରେ ସମସ୍ତେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ପୋଉଁଥିଲେ। ଏହି ସମୟରେ ଜ୍ବାଇଁଙ୍କ ସାନ ଭାଇ ରତିକାନ୍ତ ସେଠାରେ ବାନ୍ଦନିଙ୍କୁ ଦେଖି ରାଗି ଯାଇଥିଲେ। ଏପରିକି ସେ ଘର ଭିତରକୁ ଯାଇ ଏକ ଟାଙ୍ଗିଆ ଆଣି ବାନ୍ଦନିଙ୍କ ବେକକୁ ଚୋଟ ମାରିଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ରତିକାନ୍ତ ଟାଙ୍ଗିଆରେ ଆଉ ଏକ ଚୋଟ ମାରିବାରୁ ପାଖରେ ବସିଥିବା ଜଣେ ଦେଢ ବର୍ଷର ଶିଶୁ ତାନିସ ଓରାମ ଏଥିରେ ଆହତ ହୋଇ ଗୁରୁତର ହୋଇଥିଲେ।
ପ୍ରକାଶଯୋଗ୍ୟ, ରତିକାନ୍ତ ପୂର୍ବରୁ ବାନ୍ଦନି ବାନ୍ଦନି ଗୁଣିଗାରେଡ଼ି କରୁଥିବାରୁ ତାଙ୍କ ପରିବାର ରୋଗରେ ପୀଡ଼ିତ ହେଉଥିବା ସେ ସନ୍ଦେହ କରି ଆସୁଥିଲେ। ଏଥିପାଇଁ ତାଙ୍କ ଘରକୁ ନ ଆସିବା ପାଇଁ ତାଗିଦ କରିଥିଲେ।

Share