ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା: ପୋଲିସ ଗିରଫରେ ୩ ଅଭିଯୁକ୍ତ, ଜଣେ ଫେରାର; ପ୍ରମାଣ ନଷ୍ଟ କରିବାକୁ ନିକଟସ୍ଥ ଜଙ୍ଗଲରେ ପୋଡିଥିଲେ ମୃତଦେହ

ଏମ୍‌ଭି-୭୯/କାଲିମେଳା,୨୭।୮(ଡି.ଏନ.ଏ.): ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବାର ୨୨ ଦିନ ପରେ ଘଟଣା ଉପରୁ ପରଦା ଉଠିଛି। ଗୁଣିଗାରେଡି ସନ୍ଦେହରୁ ହତ୍ୟାକାଣ୍ଡ ହୋଇଥିବା ବେଳେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଜଙ୍ଗଲରେ ପୋଡି ଦେଇଥିଲେ। ଏହି ଘଟଣାରେ ମଙ୍ଗଳବାର ଗିରଫ ହୋଇଥିବା ୩ଜଣ ଯୁବକ ପୋଲିସ ଆଗରେ ଉପରୋକ୍ତ ଅପରାଧ ସ୍ବୀକାର କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଉରୁମାଗୁଡ଼ା ଗାଁର ମୁକା ମାଡକାମି, ମାସା ମାଡକାମି ଓ ଜବାନପାଲ୍ଲୀର ଲାକା କାର୍ତାମି। ଉରୁମାଗୁଡ଼ା ଗାଁର ଅନ୍ୟ ଜଣେ ଅଭିଯୁକ୍ତ ଆଇତା ମାଡକାମି ଫେରାର ଅଛନ୍ତି।

ପ୍ରକାଶ ଯେ, ନାଙ୍ଗା ମାଡକାମି ଉରୁମାଗୁଡ଼ାର ନାଙ୍ଗା କବାସୀ (୬୦) ଗୁଣିଗାରେଡି ଓ ଝଡାଫୁଙ୍କା କରି ଲୋକଙ୍କ ରୋଗ ଭଲ କରୁଥିବା ସ୍ଥାନୀୟ ଲୋକେ ବିଶ୍ୱାସ କରୁଥିଲେ। ରୋଗ ହେଲେ ସେମାନେ ମେଡିକାଲ ଯିବା ପରିବର୍ତ୍ତେ ତାଙ୍କ ନିକଟକୁ ଯାଉଥିଲେ। ଗତ ୩ ତାରିଖରେ ଉକ୍ତ ଗାଁର ଦୁଲା ମାଡକାମୀ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ନାଙ୍ଗା ଗୁଣି କରି ବାପାଙ୍କୁ ମାରିଥିବା ଦୁଲାଙ୍କ ତିନିପୁଅ ମୁକା, ମାସା ଓ ଆଇତା ସନ୍ଦେହ କରିଥିଲେ। ଗତ ୫ ତାରିଖରେ ଜବାନପାଲୀ ଗାଁର ସମ୍ପର୍କୀୟ ଲାକା କର୍ତ୍ତାମୀଙ୍କ ସହ ମିଶି ୩ଭାଇ ନାଙ୍ଗା ଶୋଇଥିବାବେଳେ ତାଙ୍କ ଘରେ ପଶି ପିଟିପିଟି ହତ୍ୟା କରିଥିଲେ। ନାଙ୍ଗାଙ୍କ ପରିବାର ଲୋକେ ତାଙ୍କୁ ଛାଡିଦେବା ପାଇଁ କହିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଘଟଣା ସମ୍ପର୍କରେ କାହାରିକୁ ଜଣାଇଲେ ସମସ୍ତଙ୍କୁ ଜୀବନରୁ ମାରିଦେବୁ ବୋଲି ସେମାନେ ନାଙ୍ଗାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ। କିଛି ଦିନ ଚୁପ୍‌ ରହିବା ପରେ ଜଣେ ସମ୍ପର୍କୀୟଙ୍କ ସହଯୋଗରେ ନାଙ୍ଗାଙ୍କ ପୁଅ ସୋମବାର ଏମ୍‌ଭି-୭୯ ଥାନାରେ ଏତଲା ଦେଇଥିଲେ। ଏହାକୁ ଭିତ୍ତିକରି ପୋଲିସ ତଦନ୍ତ କରିବା ସହ ମଙ୍ଗଳବାର ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ପୋଲିସ ଜଙ୍ଗଲକୁ ଯାଇ ମୃତଦେହ ପୋଡା ଯାଇଥିବା ସ୍ଥାନରୁ ପାଉଁଶ ଓ ହାଡ ଜବତ କରିଛି। ଏ ନେଇ ୬୦/୧୯ରେ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ମମତା ପାଣିଗ୍ରାହୀ ସୂଚନା ଦେଇଛନ୍ତି।