ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କୁଡ଼ିଆରୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର

ବଣାଇଁ,୯।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଲହୁଣିପଡ଼ା ଥାନା କୁଳିପୋଷ ଗ୍ରାମ ସଲଗ୍ନ ଶାଗୁଳିହୁଡ଼ି, ଖଡ଼ିଆମୁଣ୍ଡା ଜଙ୍ଗଲରେ ରହୁଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଖଇରୁ ନାୟକ ଓରଫ ନିଳାଦ୍ରୀ(୬୫)। ସେ ଝଡ଼ାଫୁଙ୍କା କରୁଥିବା ହେତୁ ଜଣେ ଗୁଣିଆ ଭାବେ ଅଞ୍ଚଳରେ ପରିଚିତ ଥିଲେ। ନିଜ କୁଡ଼ିଆରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ନିଳାଦ୍ରିଙ୍କ ବେକ କାଟି ହତ୍ୟା କରିଥିବା ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ବୁଧବାର ସକାଳେ ଜଣେ ବ୍ୟକ୍ତି ଝଡ଼ାଫୁଙ୍କା କରିବା ଲାଗି ନିଳାଦ୍ରିଙ୍କ ନିକଟକୁ ଯାଇଥିଲେ। ସେଠାରେ ସେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନିଳାଦ୍ରିଙ୍କ ମୃତଦେହ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ଗ୍ରାମରେ ଖବର ଦେବା ପରେ ଘଟଣାସ୍ଥଳରେ ଭିଡ ଲାଗି ରହିଥିଲା। ପରେ ଲହୁଣିପଡ଼ା ଥାନାକୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ବଣାଇଁ ଉପଖଣ୍ଡ ପୋଲିସ ଅଧିକାରୀ ଅବକାଶ ରାଉତରାୟଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ପହଞ୍ଚିି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ନିଳାଦ୍ରିଙ୍କୁ ଗୁଣି ଗାରେଡ଼ି ଯୋଗୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Share