ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ

ପାପଡାହାଣ୍ଡି,୩୦।୧୦(ଡି.ଏନ.ଏ.): ଆଜିର ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବାବେଳେ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟ୍ୟୁଷିତ ଜିଲାରେ ଗୁଣି ଗାରେଡି ସନ୍ଦେହରେ ଏକ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଗୁଜୁମାପଦର ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଗ୍ରାମର ଧାନୁ ସାନ୍ତା ଏବଂ ରାଧ ସାନ୍ତା ମିଶି ଗୁଣି ଗାରେଡି ସନ୍ଦେହରେ ତୁଳାବତୀ ସାନ୍ତାଙ୍କୁ ହତ୍ୟା କରିଛନ୍ତି। ତୁଳାବତୀ ତାଙ୍କ ପରିବାର ସହ ଘରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ଘରୁ ଡାକି ନେଇ ହଳ ଜୁଆଡି ସାହାଯ୍ୟରେ ଅତି ଅମାନୁଷିକ ଭାବେ ହତ୍ୟା କରାଯାଇଛି। ତୁଳାବତୀଙ୍କୁ ବଞ୍ଚାଇବାକୁ ଆସି ବୋହୂ ଟିକମ ସାନ୍ତା ମଧ୍ୟ ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହେଇଛନ୍ତି। ତୁଲାବତୀ ସାନ୍ତାଙ୍କ ପରିବାରକୁ ଦୀର୍ଘଦିନ ଧରି ଗ୍ରାମବାସୀ ଗୁଣି ଗାରେଡି ସନ୍ଦେହରେ ନିଆଁପାଣି ବାସନ୍ଦ କରି ଏକ ଘରିଆ କରିଦେଇଥିଲେ। କିଛିଦିନ ହେବ ଧାନୁ ସାନ୍ତା ଏବଂ ରାଧ ସାନ୍ତାଙ୍କ ପରିବାର ଲୋକଙ୍କ ଦେହ ଅସୁସ୍ଥ ରହି ଆସୁଥିଲା। ଉକ୍ତ ଘଟଣାକୁ ଭିତ୍ତି କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏନେଇ ତୁଳାବତୀ ସାନ୍ତାଙ୍କ ପରିବାର ପକ୍ଷରୁ ମୈଦଲପୁର ଥାନାରେ ଏତଲା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରବା ସହ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଛି।

Share