ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା: ମାମୁ, ଭଣଜା ଗିରଫ

ଦାରିଙ୍ଗବାଡ଼ି,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କ୍ରୁପାଗାଡ଼ି ଜଙ୍ଗଲରେ ଗତ ୩ ତାରିଖରେ କାଟିଙ୍ଗିଆ ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଲ୍ଲିକ (୪୦)ଙ୍କୁ ହତ୍ୟା କରାଯାଇଥିଲା। ଗୁଣି ସନ୍ଦେହରେ ତାଙ୍କୁ ହତ୍ୟାକରି ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ପୋଡ଼ି ଦିଆଯାଇଥିଲା। ଏହି ଘଟଣାରେ ସୋମବାର ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତଳକୁଟ୍ରୁକାର ସୁମନ୍ତ ମଲ୍ଲିକ ଓ ତାଙ୍କ ମାମୁ ଗଞ୍ଜାମ ଜିଲା ବଡଗଡ଼ ଥାନା ଅଞ୍ଚଳର କୁଟ୍ରାସା ମଲ୍ଲିକ। ମୃତକଙ୍କ ସମ୍ପର୍କୀୟ ସୁମନ୍ତ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସୁଦାମ ଗୁଣି କରି ତାଙ୍କୁ ଜୀବନରେ ମାରିଦେଇ ସମସ୍ତ ନେଇଯିବେ ସନ୍ଦେହ କରି ମାମୁଙ୍କ ସହ ମିଶି ସୁମନ୍ତ ହତ୍ୟାକାଣ୍ଡ ରଚିଥବା ପୋଲିସ ସୂଚନା ଦେଇଛି। ସୁଦାମ ସମସ୍ତ ସମ୍ପତ୍ତି ହାତେଇ ନେବେ ବୋଲି ସନ୍ଦେହ କରୁଥିଲେ ସୁମନ୍ତ। ତେଣୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସେ ଯୋଜନା କରିଥିଲେ। ଗତ କିଛିଦିନ ହେଲା ସୁଦାମ କ୍ରୁପାଗାଡ଼ି ଜଙ୍ଗଲରେ ଥିବା କାନ୍ଦୁଲ ପଦରରେ ଏକାକି ରହୁଥିଲେ ା ଏହି ସୁଯୋଗରେ ତାଙ୍କୁ ହତ୍ୟା କରିବା ପାଇଁ ସୁମନ୍ତ ମାମୁଙ୍କୁ ଡକାଇଥିଲେ। ଗତ ୩ ତାରିଖରେ ମାମୁ, ଭଣଜା ଉକ୍ତ ପଦରକୁ ଯାଇ ସୁଦାମଙ୍କ କୁଡ଼ିଆରେ ପହଞ୍ଚି ତାଙ୍କୁ ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପ୍ରାୟ ଦେଢ଼ କି.ମି. ଦୂର ଏକ ପାହାଡ଼ରେ ପୋଡି ଦେଇଥିଲେ। ଏପଟେ ପରିବାର ଲୋକେ ସୁଦାମଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିବା ଶୁଣିବାକୁ ପାଇଥିଲେ। ଅଭିଯୁକ୍ତମାନେ ସୁଦାମଙ୍କ ସ୍ତ୍ରୀ ବାସନ୍ତୀ ଏବଂ ତାଙ୍କ ପିଲାମାନଙ୍କୁ ହତ୍ୟା ଧମକ ଦେବାରୁ ସେମାନେ କେଉଁଠି ଅଭିଯୋଗ କରି ନ ଥିଲେ। ବାହାରେ ରହୁଥିବା ସୁଦାମଙ୍କ ସାନଭାଇ ପ୍ରତାପ ଏହା ଜାଣିବା ପରେ ଶନିବାର ବ୍ରାହ୍ମଣୀଗାଁ ଥାନାକୁ ଆସି ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ.୭/୨୦) ରୁଜୁ କରି ତଦନ୍ତ ଚଳାଇଥିଲା। ହତ୍ୟାରେ ବ୍ୟବହୃତ ଏକ ମାରଣାସ୍ତ୍ର ଓ ମୃତଦେହ ପୋଡ଼ାଯାଇଥିବା ସ୍ଥାନରୁ ହାଡ଼, ପାଉଁଶ ଜବତ କରାଯାଇଛି।

Share