Categories: ଗଞ୍ଜାମ

ଗୁଣି ସନ୍ଦେହରେ ୬ଜଣଙ୍କୁ ଅଖାଦ୍ୟ ଖୁଆଇବା ଘଟଣା: ୨୯ ମହିଳା, ପୁରୁଷ ଗଲେ ଜେଲ; ଗିରଫ ଭୟରେ ଗୋପପୁର ଗ୍ରାମ ପୁରୁଷଶୂନ୍ୟ

ଖଲ୍ଲିକୋଟ,୩ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଗୋପପୁର ଦଳିତ ସାହିରେ ଗୁଣି ସନ୍ଦେହରେ ଗ୍ରାମବାସୀ ସୋମବାର ରାତିରେ ଦାନ୍ତ ଭାଙ୍ଗି ୬ ଜଣ ବ୍ୟକ୍ତିଙ୍କୁ ଅଖାଦ୍ୟ ଖୁଆଇ ଗାଁ କୋଠ ଘରେ ବାନ୍ଧି ରଖିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ଓ ଅନ୍ୟ ଥାନାଧିକାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ସମୟରେ ପୋଲିସ ଉପରକୁ ଲଙ୍କାଗୁଣ୍ଡ, ବାଲି ଆଦି ଫିଙ୍ଗିବା ଅଭିଯୋଗରେ ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ଥାନାରେ ଅଟକ ରଖାଯାଇଥିଲା। ବୁଧବାର ସେମାନଙ୍କ ମଧ୍ୟରୁ ପୋଲିସ ୨୨ଜଣ ମହିଳା ଓ ୭ଜଣ ପୁରୁଷଙ୍କୁ ଗିରଫ କରିଛି। ଏ ନେଇ ନଂ. ୨୫୬/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଖାଦ୍ୟ ଖୁଆଯାଇଥିବା ୬ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟପଟେ ଗିରଫ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ରହିଥିବା ବେଳେ ପରିସ୍ଥିତି ଶାନ୍ତ ରହିଛି।
ପ୍ରକାଶ ଯେ, ଗୋପପୁର ଗ୍ରାମରେ କିଛିଦିନ ତଳେ ଅଜଣା ରୋଗରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୮ ସେପ୍ଟେମ୍ବରରେ ୩ ଜଣ ମହିଳା ଓ ଜଣେ ପୁରୁଷଙ୍କ ଗୋଡ଼ହାତ ବିନ୍ଧା ସହ ଜ୍ୱର ହୋଇଥିଲା। ଏହା ଗୁଣିଗାରେଡି ଦ୍ୱାରା ହେଉଥିବା ଗ୍ରାମବାସୀ ସନ୍ଦେହ କରି ଜଣେ ଗୁଣିଆଙ୍କୁ ଡାକିଥିଲେ। ଏହା ଜାଣିବା ପରେ ତହସିଲଦାର, ଆଇଆଇସି ପ୍ରମୁଖ ଗ୍ରାମରେ ପହଞ୍ଚତ୍ ଥିଲେ। ପରେ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ବ୍ରହ୍ମପୁରରୁ ଏକ ଡାକ୍ତରୀ ଟିମ ଗ୍ରାମରେ ଆସି ଅସୁସ୍ଥଙ୍କ ରକ୍ତ ନମୁନା ପରୀକ୍ଷା କରିଥିଲେ। କିନ୍ତୁ ଏସବୁ ସତ୍ତ୍ବେ ଗ୍ରାମବାସୀ ଗୁଣି ସନ୍ଦେହରେ ଉକ୍ତ ୬ ଜଣଙ୍କୁ ଅଖାଦ୍ୟ ଖୁଆଇ ମାଡ଼ ମାରିଥିଲେ।