ଗୁଣ୍ଡିରିବାଡ଼ିରେ ବାଘୁଣୀ ପାଦଚିହ୍ନ

ଭଞ୍ଜନଗର,୧୧।୧୧(ଡି.ଏନ.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ଲଣ୍ଡେଇ ପାହାଡ଼ ନିକଟସ୍ଥ ଗୁଣ୍ଡିରିବାଡ଼ି ରାଜସ୍ବ ଗ୍ରାମ ନିକଟ ଜଙ୍ଗଲରେ ଏକ କଲରାପତରିଆ ବାଘୁଣୀକୁ ବନ ବିଭାଗ କର୍ମଚାରୀ ଠାବ କରିଛନ୍ତି। ଜଙ୍ଗଲରେ ବାଘ ଥିବାର ପ୍ରମାଣ ଗୁରୁବାର ମିଳିବା ପରେ ସମ୍ପୃକ୍ତ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଅପରପକ୍ଷେ ସାଧାରଣ ଲୋକେ ଏବଂ ଗୃହପାଳିତ ପ୍ରାଣୀଙ୍କ ଯେଭଳି କ୍ଷତି ନଘଟେ ସେଥିପାଇଁ ବନ ବିଭାଗ ସତର୍କ ହୋଇଯାଇଛି। ଏନେଇ ସମ୍ପୃକ୍ତ ଜଙ୍ଗଲ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି। ଲୋକଙ୍କୁ ମଧ୍ୟ ଜଙ୍ଗଲକୁ ଯିବାକୁ ବାରଣ କରାଯାଇଛି। ଡ଼ିଏଫ୍‌ଓ ଅଭୟ କୁମାର ଦଳେଇ, ଏସିଏଫ୍‌ ସୁଦର୍ଶନ ବାଦୀ ଘଟଣା ପ୍ରତି ନଜର ରଖିଛନ୍ତି। ସୂଚନାଯୋଗ୍ୟ, ବିଗତ ୨୫ ଦିନ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳର ଏକାଧିକ ଗୋରୁ ଜଙ୍ଗଲକୁ ଚରିବାକୁ ଯାଇଥିବାବେଳେ ନିଖୋଜ ଓ ଆହତ ହୋଇଥିଲେ, ଯାହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିଲେ। ବନ ବିଭାଗ ପ୍ରଥମେ ଘଟଣାଟିକୁ ଗୁରୁତ୍ୱ ଦେଇ ନ ଥିଲା। ପରବର୍ତ୍ତୀ ସମୟରେ ଗୋରୁ ନିଖୋଜ ସଂଖ୍ୟା ବଢିବାରୁ ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା। ବୁଧବାର ଗୁଣ୍ଡିରିବାଡ଼ି ଜଙ୍ଗଲରୁ କିଛି ପାଦଚିହ୍ନ ମିଳିଥିଲା। ଏହାକୁ ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌ରେ ସଂଗ୍ରହ କରାଯାଇଥିଲା। ଗୁରୁବାର ତାହାକୁ ବିଭାଗୀୟ ଉଚ୍ଚ ପଦାଧିକାରୀ ଯାଞ୍ଚ କରିବାପରେ ଏହା କଲରାପତରିଆ ବାଘୁଣୀର ବୋଲି ଜଣାପଡ଼ିଛି। କିନ୍ତୁ ବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଉକ୍ତ ଜଙ୍ଗଲରେ ଆଉ ଅଧିକ ବାଘ ଅଛି ନା ଏହି ଗୋଟିଏ ବାଘୁଣୀ ଅଛି, ସେନେଇ ମଧ୍ୟ ଯାଞ୍ଚ ଚାଲିଛି। ବାଘୁଣୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଶୁକ୍ରବାର ଟ୍ରାପ୍‌ କ୍ୟାମେରା ଲଗାଯିବା ବ୍ୟବସ୍ଥା କରାଯାଉଛି। ଏନେଇ ଏସିଏଫ୍‌ ବାଦୀଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଚିତ୍ର ସ୍ପଷ୍ଟ ହେବ।