ଗୁଧିରାମପଡ଼ାରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ପାଟଣା, ୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମପଡ଼ା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା। ୫ ଦିନ ପରେ ଗୁରୁବାର ଘଟଗାଁ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସେ ହେଲେ ସରସାକୋଲା ପଞ୍ଚାୟତ ଖମୁଆଁ ଗ୍ରାମ କୁସୁମପଶି ସାହିର ଦନାର ମୁଣ୍ଡା(୩୨)। ଆଇପିସି ୩୦୨ ଧାରାରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଘଟଗାଁ ଏସ୍‌ଡିପିଓ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ରାମାଇ ମୁଣ୍ଡା(୬୯) ଏବଂ ସ୍ତ୍ରୀ ଚମ୍ପା ମୁଣ୍ଡା ନିଜ ଘର ବାରଣ୍ଡାରେ ମଶାରି ଟାଙ୍ଗି ଶୋଇଥିବା ବେଳେ ଦନାର ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏନେଇ ଘଟଗାଁ ଥାନାରେ ୧୧୫/୧୯ରେ ଏକ ମାମଲା ରୁଜୁ ହୋଇଥିଲା।