Categories: ଖେଳ

ଗୁରଜିତ୍‌ଙ୍କ ଡବଲ ଗୋଲ୍‌:ପୋଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ

ହିରୋସୀମା, ୧୬ା୬ (ପି.ଟି.)-ଏଠାରେ ଚାଲିଥିବା ଏଫ୍‌ଆଇଏଚ୍‌ ମହିଳା ହକି ସିରିଜ ଫାଇନାଲ୍ସ ହିରୋସୀମାରେ ଗୁର୍‌ଜିତଙ୍କ ଡବଲ ଗୋଲ ସହାୟତାରେ ଭାରତ ୫-୦ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମ କ୍ୱାର୍ଟରରେ ଅଧିକାଂଶ ସମୟ ବଲ୍‌ ଯଦିଓ ପୋଲାଣ୍ଡ ନିୟନ୍ତ୍ରଣରେ ରହିଥିଲା ଭାରତ ଦ୍ରୁତ ଓ ଆକ୍ରମଣାତ୍ମକ ଖେଳି ପୋଲାଣ୍ଡ ଦଳକୁ ଅଧିକ ସମସ୍ୟାରେ ପକାଇଥିଲା। ସୁନୀତା ଲାକ୍ରା ପ୍ରଭାବୀ ପ୍ରଦର୍ଶନ କରି ପୋଲାଣ୍ଡ ଦଳକୁ ଚାପରେ ରଖିଥିଲେ। ବଲ୍‌କୁ କ୍ୟାରି କରି ସେ ବାମ ପାର୍ଶ୍ୱରେ ଥିବା ନବଜୋତ କୌରଙ୍କ ନିକଟକୁ ପଠାଇ ଦେଇଥିଲେ। କୌରଙ୍କ କ୍ରସ୍‌କୁ ଜ୍ୟୋତି ଗୋଲ ପୋଷ୍ଟ ପଠାଇ ଦେଇଥିଲେ। ଏହି କ୍ୱାର୍ଟରର ଶେଷ ୫ ମିନିଟ ଖେଳରେ ଭାରତକୁ କେତୋଟି ପେନାଲ୍ଟି କର୍ନର ମିଳିଥିଲା। ଗୁରଜିତ୍‌ଙ୍କ ଡ୍ରାଗ୍‌ ଫ୍ଲିକ୍‌ ଗାବାରା ରୋକି ଦେବାପରେ ଏକ ଲୁଜ୍‌ ବଲ୍‌ ପାଇ ବନ୍ଦନା କାଟାରିଆ ଭାରତ ତରଫରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପରେ ଗୁରଜିତ୍‌ ଲେଫ୍ଟ କର୍ନରକୁ ଯାଉଥିବା ଏକ ବଲ୍‌କୁ ଗୋଲ୍‌ରେ ପରିଣତ କରି ଭାରତକୁ ୩-୦ରେ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ଏହି ଗୋଲ ବ୍ୟବଧାନ ବଜାୟ ରଖିଥିଲା। ୩୫ତମ ମିନିଟ୍‌ରେ ଭାରତକୁ ଏକ ପେନାଲଟି ଷ୍ଟ୍ରୋକ୍‌ ମିଳିଥିଲା। ଗୁରଜିତ୍‌ ଏହାକୁ ଗୋଲରେ ପରିଣତ କରିବାରେ ସଫଳ ରହିଥିଲେ। ଏହାଥିଲା ତାଙ୍କର ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌। ଭାରତ ୪-୦ରେ ଅଗ୍ରଣୀ ସହ ଚତୁର୍ଥ କ୍ୱାର୍ଟରରେ ପ୍ରବେଶ କରିଥିଲା। ଅନ୍ତିମ ପର୍ଯ୍ୟାୟରେ ଭାରତର ଆକ୍ରମଣାତ୍ମକ ଖେଳ ଯୋଗୁ ପୋଲାଣ୍ଡ ରକ୍ଷଣାତ୍ମକ ନୀତି ଆପଣେଇବାକୁ ବାଧ୍ୟ ହୋଇଥିଲା। ଭାରତ ତରଫରୁ ୫ମ ତଥା ଅନ୍ତିମ ଗୋଲ ଖେଳର ୫୬ତମ ମିନିଟ୍‌ରେ ନବନୀତ କୌର ସ୍କୋର କରିଥିଲେ।

Share