Categories: ଖେଳ

ଗୁରୁକୁଳ ଏଆଇଟିଏ-ଓଟିଏ ଟେନିସ: ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୯।୯ (ସ୍ପୋଟର୍‌ସ ବ୍ୟୁରୋ)- ଏକ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଗୁରୁକୁଳ ଏଆଇଟିଏ-ଓଟିଏ ପୁରୁଷ ଟେନିସ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସୋର୍ଟ ଟେନିସ କମ୍ପ୍ଲେକ୍ସ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସରେ ଅଂଶୁ କୁମାର ଭୂୟଁା ଚାମ୍ପିୟନ ହୋଇଛନ୍ତି। ଫାଇନାଲ ମ୍ୟାଚ୍‌ରେ ଏକ ନମ୍ବର ସିଡ୍‌ ମାନ୍ୟତାପ୍ରାପ୍ତ ଅଂଶୁ ୬-୩, ୬-୩ ସିଧାସଳଖ ସେଟ୍‌ରେ ୩ୟ ସିଡ୍‌ ପଶ୍ଚିମବଙ୍ଗର ଅର୍ଘ୍ୟ ଦାସଙ୍କୁ ହରାଇଛନ୍ତି। ଏକ ଲକ୍ଷ ପୁରସ୍କାର ରାଶିବିଶିଷ୍ଟ ଟୁର୍ନାମେଣ୍ଟରେ ଅଂଶୁ କୁମାରଙ୍କ ଏହା କ୍ରମାଗତ ୨ୟ ଟାଇଟଲ୍‌ ଥିଲା। ପୂର୍ବରୁ ସେ ଏଠାରେ ଅନୁଷ୍ଠିତ ଅନ୍ୟ ଏକ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲେ।
ଅଂଶୁ ଓ ରନର୍ସଅପ୍‌ ଅର୍ଘ୍ୟଙ୍କୁ ଯଥାକ୍ରମେ ୧୨,୫୦୦ ଓ ୮,୪୦୦ ଟଙ୍କା ପୁରସ୍କାର ରାଶି ମିଳିଥିଲା। ସେହିଭଳି ଟୁର୍ନାମେଣ୍ଟରୁ ଅଂଶୁଙ୍କୁ ୨୦ ଓ ଅର୍ଘ୍ୟଙ୍କୁ ୧୫ ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ମିଳିଛି। ଟୁର୍ନାମେଣ୍ଟ ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ ଅତିଥିଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯତୀନ ବତ୍ସ୍ୟ (ଟୁର୍ନାମେଣ୍ଟ ରେଫରି), ଚିନ୍ମୟ ପ୍ରଧାନ (ଗୁରୁକୁଳ ରିସୋର୍ଟ ନିର୍ଦ୍ଦେଶକ) ଓ ପ୍ରକାଶ ପଟ୍ଟନାୟକ (ଓଟିଏ ମ୍ୟାନେଜର) ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିଥିଲେ। ଏହି ପ୍ରତିଯୋଗିତାରେ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ତେଲେଙ୍ଗାନା, କର୍ନାଟକ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଆୟୋଜକ ଓଡ଼ିଶାକୁ ମିଶାଇ ୧୧ଟି ରାଜ୍ୟର ୪୭ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ।

Share