ଭୁବନ, ୫।୪ (ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନୂଆବଜାର ପରିବା ମାର୍କେଟରୁ ରବିବାର ଉଦ୍ଧାର କରାଯାଇଛି। ସେ ହେଲେ ବାପି ସାହୁ (୨୨)। ତାଙ୍କ ଘର କଟକ ଲିଙ୍କ ରୋଡ୍ ଅଞ୍ଚଳରେ। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଡିସ୍ଚାର୍ଜ ହୋଇ ନ ଥିବା ଜଣେ ରୋଗୀ ମେଡିକାଲ ବାହାରୁ ଉଦ୍ଧାର ହେବା ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ୱର ଅଞ୍ଚଳର ଏକ ଇଟାଭାଟିରେ ବାପି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍ଡାଉନ୍ ପରେ ସେ ସେଠାରୁ ଚାଲିଚାଲି ଘରକୁ ଆସୁଥିବାବେଳେ ବାଟବଣା ହୋଇ ଭୁବନ ପଳାଇ ଆସିଥିଲେ। ମାର୍ଚ୍ଚ ୩୧ ଅପରାହ୍ନରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କୁ ରାସ୍ତା ପାର୍ଶ୍ୱରୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇ ଯାଇଥିଲେ। ଏପରି କି ବୁଲାବୁଲି ମଧ୍ୟ କରୁଥିଲେ। ତେବେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିବାରୁ ସେ ଘରକୁ ଯାଇପାରୁ ନ ଥିଲେ। ରବିବାର ନୂଆବଜାର ମାର୍କେଟରୁ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଲୋକମାନେ କରୋନା ଆକ୍ରାନ୍ତ ଭାବି ଦୌଡ଼ି ପଳାଇଥିଲେ। ସୂଚନା ପାଇ ଡାକ୍ତରଖାନାର କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ଏ ନେଇ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳ କୁହନ୍ତି, ଉଦ୍ଧାର ଶ୍ରମିକ ଚିକିତ୍ସା ପରେ ସୁସ୍ଥ ହୋଇଯାଇଥିଲେ। ସେ ଡାକ୍ତରଖାନାରୁ ବାହାରକୁ ଆସି ନିଶା ସେବନ କରିବାରୁ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା। ତାଙ୍କୁ ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ମତାମତ ମିଳିପାରିନାହିଁ।