ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟରେ ଭୂତଳ ଜଳ ସ୍ତର ଗୁରୁତର ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୫୦ ବେଳକୁ ରାଜ୍ୟରେ ଜଳ ସଙ୍କଟ ସଙ୍ଗିନ ହେବ ବୋଲି ଆକଳନ କରାଯାଇଛି। ଜଳସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୫ଟି ବ୍ଲକରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଉଥିବାବେଳେ ୪୪ଟି ବ୍ଲକରେ ପରିସ୍ଥିତି ସଙ୍ଗିନ ହେଲାଣି। କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳରେ ମଧ୍ୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ବର୍ଷା ହ୍ରାସ ପାଇବା ସହ ଭୂତଳ ଜଳ ଉପରେ ଚାପ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୂତଳ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତଦନୁଯାୟୀ ଆସନ୍ତା ବର୍ଷରୁ ସରକାର ରାଜ୍ୟରେ ଛାତ ଉପର ବର୍ଷା ଜଳ ସଂରକ୍ଷଣ(ରୁଫ୍ ଟପ୍ ଓ୍ବାଟର ହାର୍ଭେଷ୍ଟିଂ) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।
ପ୍ରଥମ ପର୍ଯ୍ୟାୟରେ ୪୯ ବ୍ଲକ ଏବଂ ୨୭ ସହରାଞ୍ଚଳରେ ବର୍ଷାଜଳ ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ ହେବ। ସେହି ବ୍ଲକଗୁଡିକ ହେଲା ବାହାନଗା, ବାଲିଆପାଳ, କୋରେଇ, ଗରଦପୁର, ବୋଲଗଡ଼, ନୟାଗଡ଼ ସଦର, ଢେଙ୍କାନାଳ ସଦର, ତିଗିରିଆ, ଓଡ଼ାପଡା, କଟକ ସଦର, ନାଉଗାଁ, କୁଜଙ୍ଗ, ଜଗତ୍ସିଂହପୁର, ରସୁଲପୁର, ବିଞ୍ଝାରପୁର, ଦଶରଥପୁର, କାକଟପୁର, ବାଲିପାଟଣା, ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଆଳି, ରେମୁଣା, ନୀଳଗିରି, ଭୋଗରାଇ, ଜଳେଶ୍ୱର, ସୋର, କଣ୍ଟାମାଳ, ଗଞ୍ଜାମ, ହିଞ୍ଜିଳିକାଟୁ, ଆସ୍କା, ଯୋଡା, ଧାମନଗର, ଭଦ୍ରକ, ଭଣ୍ଡାରିପୋଖରୀ, ତାଳଚେର, କଣିହଁା, ତରଭା, ସୋନପୁର, ବିଶ୍ରା, ଭଟଲି, ଝାରବନ୍ଧ, ବରଗଡ଼, ସୋହେଲା, ଲୋଇସିଂହା, ରାସଗୋବିନ୍ଦପୁର, ବଡସାହି, ବେତନଟି ଏବଂ ଯାଜପୁର। ସେହିପରି ୨୭ ସହରାଞ୍ଚଳ ହେଲା ଅନୁଗୋଳ, ତାଳଚେର, ବରଗଡ଼, ପଦ୍ମପୁର, ବରପାଲି, ଟିଟିଲାଗଡ, କଟକ, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡା, ଖୋର୍ଦ୍ଧା, ଭୁବନେଶ୍ୱର, ବାରିପଦା, ନବରଙ୍ଗପୁର, ନୟାଗଡ଼, ପୁରୀ, ସମ୍ବଲପୁର, ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୨୪୭ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ବ୍ଲକଗୁଡିକରେ ଥିବା ସମସ୍ତ ସରକାରୀ କୋଠା ଛାତ ଉପର ବର୍ଷାଜଳ ସଂରକ୍ଷଣ କରାଯିବ। ସହରାଞ୍ଚଳଗୁଡିକରେ ଉଭୟ ସରକାରୀ ଓ ବେସରକାରୀ ଗୃହଗୁଡିକୁ ଏଥିରେ ସାମିଲ କରାଯିବ। ଛାତ ଉପର ଜଳ ସଂରକ୍ଷଣ ଯୋଜନାରେ ଘରୋଇ ଲୋକମାନଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହି ଯୋଜନା ଦ୍ୱାରା ଅଯଥାରେ ବର୍ଷା ଜଳ ବୋହି ନ ଯାଇ ଭୂଗର୍ଭକୁ ସିଧା ଯାଇ ପାରିବ। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳର ଭୂତଳ ଜଳସ୍ତର ବୃଦ୍ଧି ଘଟିବ। ପ୍ରଥମ ପର୍ଯ୍ୟାୟରେ ଉପରୋକ୍ତ ଅଞ୍ଚଳଗୁଡିକୁ ସାମିଲ କରାଯାଇଛି। ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା କରାଯିବ ବୋଲି ଭୂଗର୍ଭ ଜଳ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ମୁଣ୍ଡପିଛା ଜଳ ପରିମାଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ୧୯୯୧ରେ ବାର୍ଷିକ ମୁଣ୍ଡପିଛା ୩୮୦୨.୮୪ ଘନ ମିଲିଲିଟର ଜଳ ଉପଲବ୍ଧ ହେଉଥିବା ବେଳେ ୨୦୦୧ରେ ୩୫୦୯.୧୭, ୨୦୧୧ରେ ୨୮୬୮.୩୫ ଏବଂ ୨୦୧୯ରେ ଏହା ୨୫୭୮.୦୯ ଘନ ମିଲିଲିଟରକୁ ଖସି ଆସିଛି। ୨୦୩୦ ବେଳକୁ ପରିସ୍ଥିତି ଆହୁରି ସଙ୍ଗିନ ହେବ। ସେତେବେଳକୁ ରାଜ୍ୟରେ ମୁଣ୍ଡପିଛା ଜଳ ୨୩୨୯.୮୮ ଘନ ମିଲିଲିଟରକୁ ଖସିଯିବା ନେଇ ଆକଳନ କରାଯାଇଛି। ରାଜ୍ୟର ପ୍ରମୁଖ ଜଳଉତ୍ସ ମହାନଦୀ ସମେତ ୧୧ଟି ବୃହତ୍ ନଦୀରେ ବାର୍ଷିକ ୯୫,୫୪୦ ନିୟୁତ କ୍ୟୁବିକ ମିଟର ଜଳ ପ୍ରବାହିତ ହେଉଥିବା ବେଳେ ସେଥିରୁ ୪୪,୪୫୦.୩୫ ନିୟୁତ କ୍ୟୁବିକ୍ ମିଟର ଜଳ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି। ଅର୍ଦ୍ଧାଧିକ ଅର୍ଥାତ୍ ୫୧୦୮୯.୬୫ ନିୟୁତ କ୍ୟୁବିକ୍ ମିଟର ଜଳ ସମୁଦ୍ରକୁ ଚାଲିଯାଉଛି। ୨୦୫୦ ବେଳକୁ ଉଭୟ ଭୂପୃଷ୍ଠ ଓ ଭୂଗର୍ଭସ୍ଥ ଜଳ ୧୪୧ ବିଲିୟନ କ୍ୟୁବିକ ମିଟର(ବିସିଏମ୍)ରୁ ୧୨୯ ବିସିଏମ୍କୁ ଖସିଯିବା ନେଇ ଅନୁମାନ କରାଯାଇଛି।