ଗୁରୁତୁଲ୍ୟ ଶିକ୍ଷକ ଓ ଶିଷ୍ୟତୁଲ୍ୟ ଛାତ୍ର

ରତୀୟ ପରମ୍ପରାରେ ଗୁରୁ କେବଳ ଜଣେ ବ୍ୟକ୍ତି ନୁହନ୍ତି, ବରଂ ଏକ ଶକ୍ତିର ଉତ୍ସ ବା ଜୀବନ ଗଢ଼ିବାର ମହାସୂତ୍ର। ଗୁରୁଙ୍କ ଆଚରଣରେ ଥାଏ ଅମୃତର ପ୍ରଲେପ। ତାଙ୍କର ପ୍ରତିଟି ଚିନ୍ତା ଓ ଚେତନାରେ ପ୍ରକାଶ ପାଏ ଐଶ୍ବରିକ ବିଭୂତି। ସେ ସାଧାରଣ ମନେହେଲେ ବି ଅସାଧାରଣ। ମଣିଷ ହେଲେ ବି ଦେବତା। ସେଥିପାଇଁ କୁହାଯାଏ-”ଗୁରୁର୍ବ୍ରହ୍ମା ଗୁରୁର୍ବିଷ୍ଣୁ ଗୁରୁଦେବ ମହେଶ୍ବର, ଗୁରୁ ସାକ୍ଷାତ୍‌ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ।“
ଗୁରୁକୁଳ ଆଶ୍ରମ ଥିଲା ଆମ ଶିକ୍ଷା ବ୍ୟବସ୍ଥାର ମୂଳସୂତ୍ର। ଲୋକାଳୟର କୋଳାହଳମୟ ପରିବେଶଠାରୁ ବହୁ ଦୂରରେ ଗୁରୁକୁଳ ଆଶ୍ରମମାନ ଗଢି ବିଦ୍ୟା ବିତରଣ କରୁଥିଲେ ବ୍ୟାସ, ବାଲ୍ମୀକି, ବଶିଷ୍ଠ ଓ ସନ୍ଦିପନୀଙ୍କ ପରି ସମର୍ଥ ଗୁରୁ। ଆତ୍ମସଂଯମ ଓ ଆତ୍ମଶୃଙ୍ଖଳା ବଳରେ ସେମାନେ ଶିଷ୍ୟମାନଙ୍କୁ ପ୍ରଦାନ କରୁଥିଲେ ଆଲୋକ ଓ ଅମୃତ ପଥରେ ଯାତ୍ରୀ ହେବାର ମନ୍ତ୍ର। ନିଜର ସାଧନାଲବ୍ଧ ଦିବ୍ୟଜ୍ଞାନକୁ ସମାଜ କଲ୍ୟାଣ ନିମନ୍ତେ ବିତରଣ କରିବା ଥିଲା ସେମାନଙ୍କର ଲକ୍ଷ୍ୟ। ସେଥିପାଇଁ ସେଠାରେ ପାଠ୍ୟ ଖସଡ଼ା ଓ ଶାସ୍ତ୍ର ଅଧ୍ୟୟନଠାରୁ ଅଧିକ ଗୁରୁତ୍ୱ ଲଭିଥିଲା ଶ୍ରମ, ଶୃଙ୍ଖଳା,ସଂଯମ ଓ ସଂସ୍କାର। ଇନ୍ଦ୍ରିୟାନୁଗତ ବୌଦ୍ଧିକତା ଭିତ୍ତିରେ ଗୁରୁ ପରଖୁଥିଲେ ଶିଷ୍ୟର ଜ୍ଞାନ।
ଆଶ୍ରମ ଯୁଗର ଅବସାନ ପରେ ଆରମ୍ଭ ହେଲା ଚାଟଶାଳୀ ଶିକ୍ଷା ବ୍ୟବସ୍ଥା। ଲୋକାଳୟ ଭିତରେ ଚାଟଶାଳୀ ଗଢ଼ି ଶିକ୍ଷାଦାନ କଲେ ଅବଧାନେ। ଝାଟିମାଟି ଘର ଚାଟଶାଳୀରେ କଡ଼ାକଡ଼ି ଭାବେ ପାଳନ ହେଲା ଗୁରୁକୁଳ ଆଶ୍ରମର ଶୈକ୍ଷିକ ଶୃଙ୍ଖଳା। ମାନବିକତା ଓ ମୂଲ୍ୟବୋଧର ବିକାଶ ନିମନ୍ତେ ଏଠାରେ ପର୍ଯ୍ୟାୟକ୍ରମରେ ସ୍ଥାନ ପାଇଲା ପଞ୍ଚତନ୍ତ୍ର ଓ ହିତୋପଦେଶର ଲୋକଶିକ୍ଷାମୂଳକ କାହାଣୀ। ଗୁରୁକୁଳ ଆଶ୍ରମ ପରି ଏଠାରେ ଅନୁଶାସନ କଠୋର ହେଲେ ବି ଅବଧାନଙ୍କ ବାତ୍ସଲ୍ୟ ଓ ଅନାବିଳ ଆତ୍ମୀୟତାରେ ଅଭିମନ୍ତ୍ରିତ ହୋଇପଡ଼ିଥିଲା ଗୁରୁଶିଷ୍ୟ ସମ୍ପର୍କ। ତେଣୁ ସାରା ଜୀବନ ସ୍ମୃତିପଟରେ ସାଇତାହୋଇ ରହୁଥିଲା ଚାଟଶାଳୀରେ ବିଦ୍ୟାରମ୍ଭର ପୁଲକ ଓ ପ୍ରେରଣାର ଅନୁଭବ। ସେକଥା ପ୍ରକାଶ କରିବାକୁ ଯାଇ କବି କାଳିନ୍ଦୀଚରଣ ପାଣିଗ୍ରାହୀ ଲେଖିଛନ୍ତି-”ମନେଅଛି ମୋର ଗ୍ରାମ ଚାଟଶାଳୀ ଚିହ୍ନିଥିଲି ଯହିଁ ଅକ୍ଷର ଆଗେ, ସରୁ ଦାଣ୍ଡ କଡ଼େ ଚାଳଘର ଖଣ୍ଡେ ଯାଇଥିଲି ଦିନେ ବାପାଙ୍କ ସାଙ୍ଗେ।“
କେବଳ ପ୍ରାଥମିକ ଶିକ୍ଷା ନୁହେଁ, ଗୁରୁକୁଳ ଶିକ୍ଷା ଆଦର୍ଶର ଭିତ୍ତି ଉପରେ ସ୍ଥାପନ ହେଲା ମାଧ୍ୟମିକ ଓ ଉଚ୍ଚଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟ , ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ନିୟୋଜିତ ହେଲେ ଗୁରୁତୁଲ୍ୟ ଶିକ୍ଷକ ଓ ଅଧ୍ୟାପକ। ଗୁରୁ ଆଧ୍ୟାତ୍ମିକ ଜ୍ଞାନର ମାର୍ଗଦର୍ଶକ ହୋଇଥିବା ସ୍ଥଳେ ଶିକ୍ଷକ ହେଉଛନ୍ତି ପାର୍ଥିବ ଜ୍ଞାନର ମାର୍ଗଦର୍ଶକ ବା ଉପଦେଷ୍ଟା। ସାହିତ୍ୟ,ବିଜ୍ଞାନ, ଭୂଗୋଳ ଓ ଇତିହାସ ଆଦି ବିଷୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନେ ହୁଏତ ଗୁରୁ ପଦବାଚ୍ୟ ନ ହୋଇପାରନ୍ତି, କିନ୍ତୁ ଯେଉଁ ଶିକ୍ଷକମାନେ ନିଷ୍ଠାପର, ସମଦର୍ଶୀ , ସତ୍ୟନିଷ୍ଠ ଓ ଗୁରୁଙ୍କ ଭଳି ଆଚରଣ ସିଦ୍ଧ ସେମାନେ ନିଶ୍ଚୟ ଗୁରୁତୁଲ୍ୟ। ଶିକ୍ଷକଙ୍କ ଉପରେ ଥାଏ ନିଜେ ଶିଖି ଛାତ୍ରୀଛାତ୍ରଙ୍କୁ ଶିଖେଇବାର ଦାୟିତ୍ୱ। ଶିଖାଇବା ଅର୍ଥ ସତ୍‌ମାର୍ଗ ଦେଖାଇବା। ଅର୍ଥାତ୍‌ କେବଳ ପଢ଼ି ପଢ଼ାଇଦେଲେ ବା ବୁଝି ବୁଝେଇଦେଲେ ଜଣେ ଶିକ୍ଷକ ହୁଏ ନାହିଁ, ଏଥିପାଇଁ ସ୍ନେହସିକ୍ତ ହୃଦୟବତ୍ତା ଓ ଅକପଟ ଆନ୍ତରିକତା ଇତ୍ୟାଦି ରହିବା ଜରୁରୀ। ତେଣୁ ଶ୍ରୀଅରବିନ୍ଦ କହନ୍ତି, ”ଶିକ୍ଷକ ହେଉଛନ୍ତି ଜଣେ ସାଧକ। ତାଙ୍କର ଜୀବନ ହେଉଛି ସାଧନାର ଜୀବନ। ଏ ସାଧନା ହେଉଛି ସଚେତନତାର ଏକ କୀର୍ତ୍ତିସ୍ତମ୍ଭ।“
ଉପନିଷଦୀୟ ଭାଷାରେ ଗୁରୁଙ୍କ ଶରଣାପନ୍ନ ଆଧ୍ୟାତ୍ମ ବିଦ୍ୟା ସନ୍ଧାନୀଙ୍କୁ କୁହାଯାଏ ଶିଷ୍ୟ। ସ୍ବାମୀ ବିବେକାନନ୍ଦଙ୍କ ମତରେ ଗୁରୁଙ୍କ ଆତ୍ମାରୁ ଏକ ଶକ୍ତି ବା ଜ୍ଞାନାଲୋକ ସଞ୍ଚରିଆସେ ଏବଂ ତାହା ଯେଉଁ ଆତ୍ମାରେ ପ୍ରବେଶ କରେ, ସେ ଶିଷ୍ୟ। ଶକ୍ତି ପ୍ରାୟତଃ ସେହି ଆତ୍ମାରେ ପ୍ରବେଶ କରେ ଯିଏ ଗୁରୁଙ୍କ ପ୍ରତି ଏକାନ୍ତ ନିଷ୍ଠାପର। ଆରୁଣିର ପାଣି ମଡ଼ାଇବା ହେଉ କି ଉପମନ୍ୟୁର ଗାଈ ଜଗିବା ହେଉ, ତାହା ସେମାନଙ୍କ ଗୁରୁଭକ୍ତିର ବିରଳ ନିଦର୍ଶନ। ସେହି ଆଧ୍ୟାତ୍ମିକ ଜ୍ଞାନ ସନ୍ଧାନୀ ଶିଷ୍ୟମାନଙ୍କ ଭଳି ଜଣେ ଛାତ୍ର ଯଦି ଆଚରଣ ପ୍ରଦର୍ଶନ କରେ,ତେବେ ତାକୁ ଶିଷ୍ୟ ନ ହେଲେ ବି କୁହାଯିବ ଶିଷ୍ୟତୁଲ୍ୟ ଛାତ୍ର। ଶିଷ୍ୟତୁଲ୍ୟ ଛାତ୍ର କେବଳ ଗୁରୁତୁଲ୍ୟ ଶିକ୍ଷକମାନେ ସୃଷ୍ଟି କରିପାରନ୍ତି, ଯେଉଁମାନଙ୍କ ବ୍ୟକ୍ତିତ୍ୱର ଥାଏ ଏକ ସ୍ବତନ୍ତ୍ର ପରିଚୟ। ସେମାନେ ପ୍ରାୟତଃ ଆଜୀବନ ବିଦ୍ୟାର୍ଥୀ। ଜ୍ଞାନ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟର ଉତ୍ସ। ଅଧ୍ୟାପନା ସେମାନଙ୍କ ପାଇଁ ବୃତ୍ତି ନୁହେଁ, ପ୍ରବୃତ୍ତି। ପେସା ନୁହେଁ, ନିଶା। କେବଳ ଶିକ୍ଷାନୁଷ୍ଠାନ ଭିତରେ ନୁହେଁ, ସମଗ୍ର ମାନବ ଜାତି ପାଇଁ ଏମାନେ ଏକ ଏକ ଆଲୋକବର୍ତ୍ତିକା। ସେଭଳି ମହାନ୍‌ ଶିକ୍ଷକଙ୍କ କଥା ଉଠିଲେ ପ୍ରଥମେ ଆଖି ଆଗକୁ ଆସନ୍ତି ଆମ ଦେଶର ୩ଜଣ ରାଷ୍ଟ୍ରପତି ସର୍ବପଲ୍ଲୀ ଡ. ରାଧାକୃଷ୍ଣନ, ଡ. ଏ. ପି. ଜେ. ଅବଦୁଲ କଲାମ ଓ ଡ. ଶଙ୍କର ଦୟାଲ ଶର୍ମା।
ଓମାନ ରାଜଧାନୀ ମସ୍କାଟ୍‌ ବିମାନବନ୍ଦରରେ ପହଞ୍ଚିବାର ଥାଏ ଭାରତର ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କ ବିମାନ। ସେଠାରେ ପ୍ରତୀକ୍ଷାରେ ଥାଆନ୍ତି ଓମାନ୍‌ ସମ୍ରାଟ। ବିମାନ ଅବତରଣ କରିବା ମାତ୍ରେ ସମ୍ରାଟ ତା’ ଭିତରକୁ ପଶିଗଲେ ଅଭିବାଦନ ଜଣାଇବା ପାଇଁ। ବିମାନରୁ ପାଛୋଟି ନେଇ ରାଷ୍ଟ୍ରପତି ଦମ୍ପତିଙ୍କୁ ଗାଡ଼ିରେ ବସାଇଲେ ଏବଂ ଡ୍ରାଇଭରକୁ ଓହ୍ଲେଇ ଦେଇ ନିଜେ ବସିଗଲେ ଚାଳକ ଆସନରେ। ଗାଡ଼ି ଚାଲିଲା ରାଜପ୍ରାସାଦ ଅଭିମୁଖେ। ବିସ୍ମିତ ଓ ଅଭିଭୂତ ହେଲେ ଓମାନ୍‌ର ଉଚ୍ଚ ଅଧିକାରୀ ଓ ସାମ୍ବାଦିକ। ସେଦିନ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ସାମ୍ବାଦିକ ସମ୍ମିଳନୀରେ ଜଣେ ଗଣମାଧ୍ୟମ ପ୍ରତିନିଧି ସମ୍ରାଟଙ୍କୁ ପ୍ରଶ୍ନ କଲେ, କୌଣସି ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ଓମାନ୍‌ ସମ୍ରାଟ କେବେ ବିମାନବନ୍ଦରକୁ ଆସନ୍ତିନାହିଁ। ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବି ଆପଣ ଆସି ନ ଥିଲେ, ଅଥଚ ଭାରତର ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବା ପାଇଁ ଆପଣ ସ୍ବୟଂ ବିମାନବନ୍ଦରକୁ ଗଲେ , ପ୍ରୋଟୋକଲ ଭାଙ୍ଗି ବିମାନ ଭିତରକୁ ପ୍ରବେଶ କଲେ ଏବଂ ପୁଣି ନିଜେ ଗାଡ଼ି ଚଳାଇ ଅତିଥିଙ୍କୁ ରାଜପ୍ରାସାଦ ଆଣିଲେ। କ’ଣ ହୋଇପାରେ ଏହାର କାରଣ ? ଓମାନ୍‌ର ଯୁବସମ୍ରାଟ ହସିଦେଇ କହିଲେ, ”ମୁଁ ଭାରତର ରାଷ୍ଟ୍ରପତିଙ୍କୁ ସ୍ବାଗତ ଜଣାଇବା ପାଇଁ ଯାଇ ନ ଥିଲି, ବରଂ ଯାଇଥିଲି ଜଣେ ବିଦ୍ୟା ପ୍ରଦାତାଙ୍କ ଅଭ୍ୟର୍ଥନା ପାଇଁ। ମୁଁ ପୁଣେରେ ପଢୁଥିବା ବେଳେ ଡ.ଶର୍ମା ଥିଲେ ମୋର ଅଧ୍ୟାପକ। ସେ ହିଁ ମୋ ଜୀବନର ନିର୍ମାତା। ତେଣୁ ଛାତ୍ର ଭାବରେ ତାଙ୍କର ପୂଜା କରିବା ମୋର ପ୍ରଥମ କର୍ତ୍ତବ୍ୟ। ଏକଥା ପ୍ରମାଣକରେ ଯେ
ଭାରତର ରାଷ୍ଟ୍ରପତି ଯେମିତି ଜଣେ ଗୁରୁତୁଲ୍ୟ ଶିକ୍ଷକ ଥିଲେ, ସେମିତି ଓମାନ୍‌ର ଯୁବ ସମ୍ରାଟ ଥିଲେ ଜଣେ ଶିଷ୍ୟତୁଲ୍ୟ ଛାତ୍ର। କିନ୍ତୁ ଅତୀତର ସେ ପରମ୍ପରା ଆଜି କାହିଁ ?
ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ-୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri