Categories: ଜାତୀୟ

ଗୁରୁବାରଠାରୁ କେଦାରନାଥ ଯାତ୍ରା ଆରମ୍ଭ: ଜୁନ ୩୦ପର୍ଯ୍ୟନ୍ତ କେବଳ ରୁଦ୍ରପ୍ରୟାଗବାସୀ କରିପାରିବେ ଦର୍ଶନ

ରୁଦ୍ରପ୍ରୟାଗ,୧୧।୬: ଦେବସ୍ଥାନମ୍‌ ବୋର୍ଡର ନିଷ୍ପତ୍ତି ପରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମ ଯାତ୍ରାକୁ ଖୋଲି ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଜୁନ ୩୦ପର୍ଯ୍ୟନ୍ତ କେବଳ ସ୍ଥାନୀୟ ଲୋକ ଅର୍ଥାତ୍‌ ରୁଦ୍ରପ୍ରୟାଗ ଜିଲାବାସୀଙ୍କ ପାଇଁ ଏହି ଯାତ୍ରା ଖୋଲାଯିବ। ବୁଧବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଏନେଇ ସବିଶେଷ ଆଲୋଚନା କରିଥିଲେ। ଆରମ୍ଭରୁ ପ୍ରତିଦିନ ପ୍ରାୟ ୮୦୦ଲୋକଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ। ଏଥିପାଇଁ ଗୁରୁବାରଠାରୁ ସୋନପ୍ରୟାଗରେ ପ୍ରଶାସନ ପକ୍ଷରୁ ପାସ୍‌ ଜାରି କରାଯାଇଛି। ଯେଉଁ ରୁଦ୍ରପ୍ରୟାଗବାସୀଙ୍କୁ ପାସ୍‌ ମିଳିଥିବ ସେମାନେ ହିଁ କେଦାରନାଥଙ୍କ ଦର୍ଶନ କରିପାରିବେ। ଅପରପକ୍ଷେ ଉଖିମଠର ଅତିରିକ୍ତ ଜିଲାପାଳ କେଦାରନାଥ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଏହି ପାସ୍‌ ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ତେବେ ପ୍ରଥମ ପର୍ଯ୍ୟାୟରେ ସୀମିତ ସଂଖ୍ୟାରେ ପାସ୍‌ ଜାରି କରାଯିବ। ୬୦ବର୍ଷରୁ ଊର୍ଦ୍ଧ୍ୱ ଓ ୧୦ବର୍ଷରୁ କମ୍‌ ବୟସ୍କ, ଗର୍ଭବତୀ ମହିଳା ଓ ରୋଗୀଙ୍କୁ ଏହି ପାସ୍‌ ପ୍ରଦାନ କରାଯିବ ନାହିଁ ବୋଲି ରୁଦ୍ରପ୍ରୟାଗର ଜିଲାପାଳ ବନ୍ଦନା ସିଂହ କହିଛନ୍ତି। ଏଥିସହ ଶ୍ରଦ୍ଧାଳୁମାନେ ଗର୍ଭଗୃହକୁ ପ୍ରବେଶ କରିବେ ପାରିବେ ନାହିଁ। ନିର୍ଦ୍ଧାରିତ ହୋଇଥିବା ସ୍ଥାନରୁ ହିଁ ଶ୍ରଦ୍ଧାଳୁ ଜ୍ୟୋର୍ତିଲିଙ୍ଗର ଝାଙ୍କି ଦର୍ଶନ କରିବେ ବୋଲି ଜିଲାପାଳ କହିଛନ୍ତି।

Share