ଗୁଳିକାଣ୍ଡରେ ଓଷଧ ଦୋକାନୀଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଖୋର୍ଦ୍ଧାରେ ସବୁ ମେଡିସିନ୍‌ ଷ୍ଟୋର ବନ୍ଦ

ଖୋର୍ଦ୍ଧା ଅଫିସ୍‌,୧୬।୧୨: ଖୋର୍ଦ୍ଧାର ଏକ କ୍ଲିନିକରେ ହୋଇଥିବା ଗୁଳିମାଡ ଘଟଣାରେ ଗୁରୁତର ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ବିରୋଧ କରି ସୋମବାର ଖୋର୍ଦ୍ଧା ଜିଲାରେ ସବୁ ଓଷଧ ଦୋକାନ ବନ୍ଦ ରହିଛି। ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ନ କରା ନ ଗଲେ ୧୮ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କେମିଷ୍ଟ ଡ୍ରଗିଷ୍ଟ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟ ବଡଶଙ୍ଖସ୍ଥିତ ଏକ ଘରୋଇ କ୍ଲିନିକ ଭିତରେ ଫୁଟିଛି ୩ ରାଉଣ୍ଡ ଗୁଳି। ସେଥିରୁ ୨ଟି ଗୁଳି ଶିଶୁରୋଗ ବିଶେଷଜ୍ଞ ଡା. ମାନସ ଦାସଙ୍କ ପେଟରେ ବାଜିଥିଲା। ଏହି ସମୟରେ ଦୁର୍ବୃତ୍ତଙ୍କୁ ଧରିବାକୁ ଯାଇ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୋଷ ମଧ୍ୟ ଗୁଳିମାଡର ଶିକାର ହୋଇଥିଲେ। ତାଙ୍କର ମଧ୍ୟ ପେଟରେ ଗୁଳି ବାଜିଥିଲା। ସେଠାରେ ଆତଙ୍କ ଖେଳିଯିବା ପରେ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ମାନସ ଓ ସନ୍ତୋଷଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

Share