ଫୁଲବାଣୀ ଅଫିସ,୧୬ା୬: କନ୍ଧମାଳ ଜିଲା ଚକାପାଦ ବ୍ଲକ ଟିକାବାଲି ଥାନା ମିଣିଆଖଡ଼ି ଜଙ୍ଗଲରେ ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ଟିକାବାଲି ଓ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। ପାରିପାର୍ଶ୍ୱିକ ପରିସ୍ଥିତିକୁ ଲକ୍ଷ୍ୟ କଲେ ଜଙ୍ଗଲକୁ ଶିକାର ପାଇଁ ଯାଇଥିବାବେଳେ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଗୁୁରୁତର ଯୁବକ ହେଲେ ଜନକ ମଲ୍ଲିକ। ଘର ଆରାବାକା ପଞ୍ଚାୟତର କାମ୍ବିରିକିଆ ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ, ଜଙ୍ଗଲକୁ କାଠ କାଟିବା ପାଇଁ ଜନକ ଓ ଭାଇ ବିଶ୍ୱନାଥ ଯାଇଥିଲେ। ଆଗ ପଛ ହୋଇ ଗଛ କାଟୁଥିବା ବେଳେ ଜନକଙ୍କ ବାମ ପଛପଟ ଜଙ୍ଘରେ ହଠାତ୍ ଏକ ଗୁଳି ଆସି ବାଜିଥିଲା। ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। ଆଗରେ ଥିବା ଭାଇ ବିଶ୍ୱନାଥ ଆସି ଦେଖିଲା ପରେ ସଙ୍ଗେ ସଙ୍ଗେ ଗ୍ରାମ ଲୋକଙ୍କୁ ଡାକିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ଆଣି ଟିକାବାଲି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏ ସମ୍ପର୍କରେ ଜନକ କୁହନ୍ତି, ଲଙ୍ଗଳ ପାଇଁ କାଠ ହାଣିବାକୁ ଜଙ୍ଗଲକୁ ଯାଇଥିବାବେଳେ ହଠାତ ପଛପଟ ଜଙ୍ଘରେ ଆସି ଗୁଳିଟି ବାଜିଥିଲା। ଘଟଣା ସମ୍ପର୍କରେ ଟିକାବାଲି ଥାନାଧିକାରୀ ଆଦିତ୍ୟ କୁମାର ସେଠୀଙ୍କୁ ପଚାରିବାରୁ ଗୁଳିମାଡ଼ ମେଡିକାଲରୁ ଜାଣିବାକୁ ପାଇଛୁ। କେହି ଥାନାରେ ଏତଲା କରି ନାହାନ୍ତିା ତଦନ୍ତ ଜାରି ରହିଥିବା କହିଛନ୍ତି।