କଟକରେ ଏବେ ଗୁହାଳ ଖୋଜା ଚାଲିଛି। ସାଧାରଣତଃ ଗଁ।ଗହଳିରେ ବର୍ଷାଦିନ ପୂର୍ବରୁ ଜାଳକାଠକୁ ସାଇତି ରଖିବା ପାଇଁ ଲୋକେ ଭାଡ଼ି (ଅସ୍ଥାୟୀ କୁଡ଼ିଆ) ନିର୍ମାଣ କରିଥାନ୍ତି। ସେଥିରେ ଜାଳକୁ ବର୍ଷାଦାଉରୁ ରକ୍ଷା କରିଥାନ୍ତି। ଏହାବାଦ୍ ମୁଗ ବୋତି (ମୁଗ ଶୁଖିଲା ପତ୍ର)କୁ ଗୋରୁଙ୍କୁ ବର୍ଷା ଦିନେ ଖାଇବାକୁ ଦେବା ପାଇଁ ମଧ୍ୟ ଭାଡ଼ି ତିଆରି ହୋଇଥାଏ। କିନ୍ତୁ ଏହି ଭାଡ଼ିଗୁଡ଼ିକ ଏବେ ଗୁହାଳର ମାନ୍ୟତା ପାଉଛି। ରାତାରାତି ଜାଳ ଓ ବୋତି ଭାଡ଼ିଗୁଡ଼ିକ ଗୁହାଳ ପାଲଟିବା ପଛରେ ଫନୀ ବାତ୍ୟାର ହାତ ରହୁଛି। କାରଣ ଫନୀରେ ଭାଙ୍ଗିଯାଇଥିବା ଗୁହାଳଗୁଡ଼ିକ ପାଇଁ ସରକାର ଗୁହାଳ ପିଛା ୨୧ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଉଛନ୍ତି। ତେଣୁ ଏହି ଅର୍ଥ ହାତେଇବା ପାଇଁ ଘରେ ଗୋରୁ ଥାଆନ୍ତୁ କି ନ ଥାନ୍ତୁ କିନ୍ତୁ ଗୁହାଳ ଥିବା ଦର୍ଶାଯାଉଛି। ଜାଳ, ବୋତିଭାଡ଼ିକୁ ଗୁହାଳ ଦର୍ଶାଇବାରେ ଲୋକମାନଙ୍କୁ ଭରପୂର ସହାୟତା ଯୋଗାଉଛନ୍ତି ତହସିଲର କର୍ମଚାରୀମାନେ। ଯେହେତୁ ୨୧ହଜାର ଟଙ୍କା ସହାୟତା ମିଳିବ ତେଣୁ ସେଥିରୁ ଯଦି ୫ରୁ ୧୦ହଜାର ବାଟରେ ଖର୍ଚ୍ଚ ହେଉଛି, ସେଥିପ୍ରତି ନକଲି ଗୁହାଳଧାରୀମାନେ ଚିନ୍ତା କରୁନାହାନ୍ତି। ତେଣୁ ତହସିଲ କର୍ମଚାରୀମାନେ ଗଁ। ଗଁ। ବୁଲି ଗୁହାଳ ଖୋଜୁଥିବାବେଳେ ଗୁହାଳ ମାଲିକ ହେବା ପାଇଁ ଲୋକମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ରାତି ପାହିଲେ ବିଭିନ୍ନ ତହସିଲ ଅଫିସ୍ରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ଜିଲା ଜରୁରିକାଳୀନ ବିଭାଗ କାର୍ଯ୍ୟାଳୟରେ ତାହାଠୁ ଅଧିକ ଦରଖାସ୍ତର ଭିଡ଼। ଏହି କ୍ରମରେ ଦେଖିଲେ କଟକ ଜିଲାରେ ବର୍ତ୍ତମାନ ସୁଦ୍ଧା ୨୮ହଜାର ୭୫ଟି ଗୁହାଳ ଚିହ୍ନଟ କରାଯାଇଛି। ଏହି ଗୁହାଳଗୁଡ଼ିକ ପାଇଁ ୫ କୋଟି ୮୯ ଲକ୍ଷ ୫୭ହଜାର ୫୦୦ ଟଙ୍କାର ସହାୟତା ରାଶି ଆବଶ୍ୟକ ଥିବା ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି। ବାସ୍ତବରେ ସେହି ୨୮ହଜାର ୭୫ ଗୁହାଳ ଭିତରେ ଗୋରୁ ରହୁଥିଲେ ନା ଜାଳକାଠ ଆଦି ରହୁଥିଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ। ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ପ୍ରକୃତ ହିତାଧିକାରୀ ଏହାର ଫାଇଦା ପାଇ ନ ଥାନ୍ତି। ମୁଖ୍ୟତଃ ଫନୀ ଯଦି କାହାର ସର୍ବାଧିକ କ୍ଷତି କରିଛି, ତେବେ ପରିବେଶର କରିଛି, ଯାହାର ପରିଣାମ ସମସ୍ତଙ୍କୁ ତତ୍କାଳ ଭୋଗିବାକୁ ପଡ଼ିଛି। ମେ’ର ପ୍ରଚଣ୍ଡ ଉତ୍ତାପକୁ ଦେଖି ପରିବେଶ ବିଜ୍ଞାନୀମାନେ ସିଧାସଳଖ ଫନୀରେ ଉଜୁଡିଯାଇଥିବା ସବୁଜିମାକୁ ଦାୟୀ କରିଥିଲେ। ସରକାର ଏବେ ଫନୀ କ୍ଷୟକ୍ଷତିର ଭରଣା ପାଇଁ ତତ୍ପର ହୋଇଛନ୍ତି। ସରକାର ଯେତିକି ତତ୍ପର, ଫନୀରୁ ଫାଇଦା ମାରିବାକୁ ଅନେକ ସରକାରୀ ଅଧିକାରୀ, ନେତା ଓ ଲୋକେ ମଧ୍ୟ ଅଧିକ ତତ୍ପର ହୋଇଉଠିଛନ୍ତି। ହେଲେ ପ୍ରତିବାଦ କରିପାରୁ ନ ଥିବା ପରିବେଶ ନିଜର ଉଜୁଡ଼ା ନଗ୍ନ ରୂପକୁ ଧରି ମୂକପ୍ରାୟ ଛିଡ଼ା ହୋଇଥିବା ବେଳେ ସଚେତନ ଲୋକମାନେ ଗୁହାଳ ଖୋଜାକୁ ଦେଖି ମୁଣ୍ଡରେ ହାତଦେଇ ବସିବାକୁ ବାଧ୍ୟ ହେଉଛନ୍ତି।
– ନିର୍ମଳ ପଣ୍ଡା