ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ: ୪୫,୫୦୦ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ(୨୦୧୯-୨୦)ରେ ରାଜ୍ୟର ନିଜସ୍ବ ରାଜସ୍ବ ବାବଦକୁ ମୋଟ ୪୫,୫୦୦ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରୁ ଟିକସ ବାବଦକୁ ୩୩,୦୦୦ କୋଟି ଓ ଅଣଟିକସ ବାବଦକୁ ୧୨,୫୦୦ କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି ଅଟକଳ କରାଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାର ପ୍ରଶ୍ନକାଳରେ ଏହା କହିଛନ୍ତି। ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ତାରକା ପ୍ରଶ୍ନ ନଂ.୩୯୨ର ଉତ୍ତର ଦେଇ ମନ୍ତ୍ରୀ ପୂଜାରୀ ଏହି ତଥ୍ୟ ଦେଇଛନ୍ତି।
ସେହିପରି ଚଳିତ ବର୍ଷ ଜୁନ୍‌ ଶେଷ ସୁଦ୍ଧା ନିଜସ୍ବ ଟିକସ ଓ ଅଣଟିକସ ବାବଦକୁ ଯଥାକ୍ରମେ ୬,୯୪୩ କୋଟି ଏବଂ ୩୪୮୪ କୋଟି ଟଙ୍କା ସଂଗ୍ରହ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ବେତନ, ଭତ୍ତା, ପେନ୍‌ସନ ଓ ଦପ୍ତର ପରିଚାଳନା ବାବଦରେ ୩୧,୭୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୮-୧୯ ସଂଶୋଧିତ ଅଟକଳ ଅନୁଯାୟୀ ଏ ବାବଦରେ ୩୯,୯୩୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ସେହିଭଳି ଚଳିତ ଆର୍ଥିକ ବର୍ଷରେ ଏହି ସବୁ ଖର୍ଚ୍ଚ ପାଇଁ ୪୪,୬୧୩ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିବା ମନ୍ତ୍ରୀ ପୂଜାରୀ ଉତ୍ତର ଦେଇଛନ୍ତି। ୨୦୧୦-୧୧ରେ ୧୫,୦୦୫ କୋଟି, ୨୦୧୧-୧୨ରେ ୧୫,୮୧୫ କୋଟି, ୨୦୧୨-୧୩ରେ ୧୭,୩୫୫ କୋଟି, ୨୦୧୩-୧୪ରେ ୧୯,୨୬୦ କୋଟି, ୨୦୧୪-୧୫ରେ ୨୨,୪୧୦ କୋଟି, ୨୦୧୫-୧୬ରେ ୨୪,୪୩୨ କୋଟି ଏବଂ ୨୦୧୬-୧୭ରେ ୨୬,୫୦୭ କୋଟି ଟଙ୍କା ବେତନ, ଭତ୍ତା, ପେନ୍‌ସନ ଓ ଦପ୍ତର ପରିଚାଳନା ବାବଦକୁ ଖର୍ଚ୍ଚ ହୋଇଛି।
ସେହିଭଳି ୨୦୧୪-୧୫ ଆର୍ଥିକ ବର୍ଷରେ ୨୭,୮୯୯ କୋଟି, ୨୦୧୫-୧୬ରେ ୩୧,୨୩୮ କୋଟି, ୨୦୧୬-୧୭ରେ ୩୦,୮୯୫ କୋଟି, ୨୦୧୭-୧୮ରେ ୩୬,୩୧୨ କୋଟି ଏବଂ ୨୦୧୮-୧୯ରେ ୪୦,୫୦୦ କୋଟି ଟଙ୍କା ନିଜର ରାଜସ୍ବ ସଂଗ୍ରହ କରାଯାଇଛି ବୋଲି ମନ୍ତ୍ରୀ ପୁଜାରୀ ତଥ୍ୟ ରଖିଛନ୍ତି ।

Share